ଦୁନିଆର ଦୁଇ ବଡ ଶତ୍ରୁ ଦେଶର ହେଲା ମିଳିନ ! ପରମାଣୁ ଉତ୍ତେଜନା ମଧ୍ୟରେ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ୍

45

କନକ ବ୍ୟୁରୋ: ପରସ୍ପରକୁ ଭେଟିଲେ ବିଶ୍ୱର ଦୁଇ ସବୁଠୁ ବଡ ଶତ୍ରୁ । ଦୁଇ କୋରିଆ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ହେବ ଐତିହାସିକ ବୈଠକ । ଅହି-ନକୁଳ ସମ୍ପର୍କ ପାଇଁ ପରିଚିତ ଦୁଇ ଦେଶ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନଙ୍କୁ ସାକ୍ଷାତ କରିଛନ୍ତି ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ । କୋରିଆ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭେଟିଛନ୍ତି ଉଭୟ ଦେଶର ରାଷ୍ଟ୍ରମୁଖ୍ୟ । ଦୁଇ ଦେଶର ସୀମାରେ ଅବସ୍ଥିତ ଡିମିଲିଟ୍ରାଇଜ୍ ଜୋନ୍ ବା ଅଣସାମରିକ କ୍ଷେତ୍ରରେ ପରସ୍ପରକୁ ଭେଟିଛନ୍ତି ଉନ୍ ଓ ମୁନ୍ । ଏହି ଅଂଚଳରେ ଅବସ୍ଥିତ ପନମୁନଜେଓମ୍ ଗାଁରେ ପିସ୍ ହାଉସ୍ ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଛି ଆଲୋଚନା । ଏହି ଐତିହାସିକ ସାକ୍ଷାତ ଆଲୋଚନାକୁ ‘ଇଂଟର କୋରିଆନ୍ ସମିଟ୍’ ଭାବେ ନାମିତ କରାଯାଇଛି ।

ଉତ୍ତରକୋରିଆ-ଦକ୍ଷିଣକୋରିଆ ମଧ୍ୟରେ ଏହି ଐତିହାସିକ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ନିଜ ଏକଜିଦିଆ ଓ ଏକଛତ୍ରବାଦ ମନୋବୃତି ପାଇଁ ବିଶ୍ୱବ୍ୟାପୀ ନିଜର ଏକ ନକାରାତ୍ମକ ଛବି ସୃଷ୍ଟି କରିଥିବା କିମ୍ ଜୋଙ୍ଗ ଏବେ ଶାନ୍ତି ପ୍ରତିଷ୍ଠା ଦିଗରେ ମନ ବଳାଇଛନ୍ତି । କାରଣ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସେ ରାଜି ହେବା ହିଁ ଥିଲା ସବୁଠାରୁ ବଡ କଥା । ଯାହା ପ୍ରମାଣ କରିଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ କିମ୍ ଜୋଙ୍ଗ ଏବେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି । ବାରମ୍ବାର ପରମାଣୁ ମିସାଇଲ୍ ପରୀକ୍ଷଣ କରି ସାରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଟାଣି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଭିମୁଖ୍ୟରେ ପରିବର୍ତନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।