ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ସରକାରରେ ନିସ୍ତାର ନାହିଁ । ଗତ ୬ ମାସରେ ଦୁର୍ନୀତିରେ ଲିପ୍ତ ଥିବା ୫୯ ସରକାରୀ ବାବୁଙ୍କୁ ବିଦା କଲେଣି ରାଜ୍ୟ ସରକାର, ଅଫିସରଙ୍କ ପରେ ଏବେ ନେତାଙ୍କ ପାଳି ।

615

କନକ ବ୍ୟୁରୋ : ଦୁର୍ନୀତି କରି କେହି ଖସି ଯାଇପାରିବେନି । ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ସରକାରରେ ନିସ୍ତାର ନାହିଁ । ଦଳୀୟ ନେତା ହୁଅନ୍ତୁ କି ଅଫିସର କାହାକୁ ଦୟା ଦେଖାଉନାହାନ୍ତି ନବୀନ । ଯାହାର ଝଲକ ଆଜି ପୁଣିଥରେ ଦେଖିବାକୁ ମିଳିଛି । ଦଳୀୟ ନେତା ତଥା ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ ହୋଇଛି । ଅନାମଙ୍କ ଭବାନୀପାଟଣାସ୍ଥିତି ବାସଭବନ ସହ ଲଜରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଶାସକ ଦଳର ନେତାଙ୍କ ଘରେ ଭିଜିଲାନ୍ସ ଚଢାଉକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ବିଧାୟକ ଥିବା ବେଳେ ମଧ୍ୟ ଅନାମ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଞ୍ଚ ମାଗୁଥିବାର ଘଟଣା ପର୍ଦ୍ଦାଫାଶ କରିଥିଲା କନକ ନ୍ୟୁଜ । ଅପରେସନ୍ ବ୍ଲାକ ସ୍ପଟରେ ଅନାମଙ୍କ ଭଳି ଦୁର୍ନୀତିଖୋର ବିଧାୟକଙ୍କ ମୁଖା ଖୋଲିଥିଲା କନକ ନ୍ୟୁଜ । ସେତେବେଳେ ଅନାମଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । ଆଉ ଆଜି ଦ୍ୱିତୀୟ ଥର ପାଇଁ ଅନାମ ପୁଣିଥରେ ଭିଜିଲାନ୍ସ ରାଡାରକୁ ଆସିଛନ୍ତି ।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଦୁର୍ନୀତିମୁକ୍ତ ଶାସନ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଯେଉଁଥିପାଇଁ ଗତ ୬ ମାସ ମଧ୍ୟରେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ୫୯ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାଛଡା ୧୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଭତ୍ତା ବନ୍ଦ କରାଯାଇଛି । ଆଉ ଠିକ୍ ନୂଆବର୍ଷ ପୂର୍ବରୁ ଲାଞ୍ଚ ନେବା ଅଭିଯୋଗରେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଘରେ ଭିଜିଲାନ୍ସ ରେଡ କରି ନବୀନ ବଡ ବାର୍ତ୍ତା ଦେଇଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଅଫିସର ଓ ନେତାଙ୍କୁ ମିଳିବନି ନିସ୍ତାର ।