ଚିନ୍ତା ବଢାଉଛି ଟ୍ରାଫିକ୍ ସମସ୍ୟା: ନନ୍ଦନକାନନରୁ ଏୟାରପୋର୍ଟ ଯାଏଁ ରାସ୍ତା ହେବ ‘ନୋ ଟଲରାନ୍ସ’; ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ହଟିବେ ବୟସ୍କ ଟ୍ରା‌ଫିକ୍‌ ପୁଲିସ, ଚାଳକ ଆଚରଣ ପରିବର୍ତ୍ତନକୁ ପ୍ରାଧାନ୍ୟ

369

କନକ ବ୍ୟୁରୋ: ନନ୍ଦନକାନନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ହେବ ‘ନୋ ଟଲରାନ୍ସ’। ଏହି ରାସ୍ତାରେ ଜେବ୍ରା କ୍ରସିଂ, ରେଡ୍ ଲାଇଟ୍ ଉଲ୍ଲଂଘନ, ଦ୍ରୁତ ଚାଳନାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଲି ଏହି ରାସ୍ତା ନୁହେଁ, ରାଜଧାନୀରେ ଥିବା ଫ୍ଲାଏଓଭର୍ ତଳ ସମ୍ବେଦନଶୀଳ ଛକଗୁଡ଼ିକୁ କି ‘ନୋ ଟଲରାନ୍ସ’ ଜୋନର ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରାଯାଇଛି। ନବନିଯୁକ୍ତ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ନେଇ ରାଜଧାନୀବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ଜଣେ ଆଇପିଏସ୍ ଅଫିସର୍ ସାଗଗରିକା ନାଥଙ୍କୁ ଟ୍ରାଫିକ୍ ଡିସିପି ଭାବରେ ନିଯୁକ୍ତି ଦିଆଯାଇଛି। ସେ ଆଜି କାର୍ଯ୍ୟରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଜଧାନୀରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସହରର ସମ୍ବେଦନଶୀଳ ଛକଗୁଡ଼ିକରେ ଟ୍ରାଫିକ୍ ବ୍ୟବସ୍ଥା କିଭଳି ଶୃଙ୍ଖଳିତ କରାଯାଇପାରିବ, ତାହା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ବିଶେଷକରି ଜୟଦେବବିହାର, ଆଚାର୍ଯ୍ୟବିହାର, ବାଣୀବିହାର ଓ ରସୁଲଗଡ଼ ଭଳି ଛକଗୁଡ଼ିକରେ ପ୍ରତିଦିନ ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ସକାଳ ୧୦ଟା (ଅଫିସ୍ ସମୟ) ଓ ସଂଧ୍ୟା ସମୟରେ ଏହି ଛକଗୁଡ଼ିକୁ ପାର୍ ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ତେଣୁ ଏହି ଛକଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଟ୍ରାଫିକ୍ ପରିଚାଳନାକୁ ବ୍ୟବସ୍ଥିତ କରାଯିବ। ଏହାବ୍ୟତୀତ ଅନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକରେ ମଧ୍ୟ ଟ୍ରାଫିକ୍ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇ ରହିଛି। ମାନବ ସମ୍ବଳ ଅଭାବରୁ ସେଗୁଡ଼ିକୁ ଧ୍ୟାନ ଦିଆଯାଇପାରୁନାହିଁ। କିନ୍ତୁ ସେହି ଛକଗୁଡ଼ିକରେ ଅଚାନକ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟ୍ରାଫିକ୍ ବିଶୃଙ୍ଖଳାରେ ୯୦ ପ୍ରତିଶତ ବାଇକ୍ ଚାଳକଙ୍କର ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି। ବଡ଼ ଗାଡ଼ିର ଆଗରେ ଛିଡ଼ା ହେବା, ଛକରେ ଓଭରଟେକ୍ କରିବା, ଏକଦମ୍ ପଛରେ କର୍କଶ ହର୍ଣ୍ଣ ବଜାଇ ଅନ୍ୟ ଚାଳକଙ୍କୁ ଭୟଭୀତ କରିବା, ରେଡ୍ ଲାଇଟ୍ ଅତିକ୍ରମ କରି ଅନ୍ୟ ଚାଳକଙ୍କୁ ବିପଦରେ ପକାଇବା, ନିର୍ଦ୍ଧାରିତ ୮୨ ଡେସିବାଲଠାରୁ ଅଧିକ ଶବ୍ଦ ସୃଷ୍ଟି କରିବା ପ୍ରଭୃତି ବିଶୃଙ୍ଖଳା ଉପରେ ପ୍ରାଧାନ୍ୟ ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ହୋଇଛି। ତେବେ କେବଳ କାର୍ଯ୍ୟାନୁଷ୍ଠାନ ନୁହେଁ, ସମସ୍ତଙ୍କର ଏଭଳି ଆଚରଣରେ ପରିବର୍ତ୍ତନ ତଥା ଅଭ୍ୟାସରେ ପଡ଼ିବା ପର‌୍ୟ୍ୟନ୍ତ ନିରନ୍ତର ଉଦ୍ୟମ ଜାରି ରହିବ। ରାସ୍ତା ଚଉଡ଼ା ନଥିବାରୁ ବେଳେ ବେଳେ ଟ୍ରାଫିକ୍ ପାଇଁ ବଡ଼ ସମସ୍ୟା ହୋଇଥାଏ। ଏଣୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ, ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗର ମୁଖ୍ୟ ଭୂମିକା ରହିଛି। ଏ ସମସ୍ତଙ୍କ ସହ ଆଲୋଚନା କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ।

ଅପରପକ୍ଷେ ଟ୍ରାଫିକ୍ ପୁଲିସରେ କେତେକ ବୟସ୍କ କର୍ମଚାରୀ ରହିଥିବାରୁ କିଛି ଗାଡ଼ି ଚାଳକ ସେମାନଙ୍କ ନିର୍ଦ୍ଦେଶ ମାନୁନଥିବା ଦେଖାଯାଇଛି। ଏଣୁ ସେମାନଙ୍କୁ ହଟାଇ ଯୁବ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ହୋଇଛି। ୧୨୦ ଜଣ ଟ୍ରାଫିକ୍ କର୍ମଚାରୀ ପ୍ରଶିକ୍ଷଣ ନେଉଛନ୍ତି। ଚଳିତମାସ ଶେଷ ସୁଦ୍ଧା ସେମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥିତ କରାଯିବାକୁ ଚିନ୍ତା କରାଯାଇଛି।