ବର ଥିଲା, ବରଯାତ୍ରୀ ଥିଲେ, ନାଚ ଗୀତରେ ଫାଟି ପଡ଼ୁଥିଲା ପୂରା ମାହୋଲ ! କିନ୍ତୁ ଚୂନା ମାରିଦେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

49

ବଲିଉଡ଼ରେ ଡଲି କି ଡ଼ୋଲି ନାମକ ଏକ ଫିଲ୍ମ ଆସିଥିଲା । ଯେଉଁଥିରେ ଜଣେ ଯୁବତୀ (ସୋନମ କପୁର) ଅନେକ ଯୁବକଙ୍କୁ ବାହା ହୋଇ ଠକି ଦେଇଥିବାର ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ବାହା ହେବା ପରେ ଚତୁର୍ଥୀ ରାତିରେ ସୁବିଧା ସୁଯୋଗ ଦେଖି ଗହଣା ଓ ଟଙ୍କା ନେଇ ଫେରାର ହୋଇ ଯାଉଥିବାର ଦେଖିବାକୁ ମଳିଥିଲା । ଠିକ୍ ସେହିଭଳି ଏକ ହାଇପ୍ରୋଫାଇଲ ଠକେଇର ଶିକାର ହୋଇ ଶିଶୁପାଳ ହୋଇ ଫେରିଛନ୍ତି ଅମୃତସରର ପରଗତ ସିଂହ ।

ବାହାଘରକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ପର୍ଗତ । ଆଉ ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ୧୫୦ ଜଣ ବରଯାତ୍ରୀଙ୍କୁ ଧରି ଯେତେବେଳେ ପର୍ଗତ ତାଜ ପ୍ୟାଲେସ ମଣ୍ଡପରେ ପହଞ୍ଚିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ବିବାହ ପାଇଁ ସ୍ଥିର କରାଯାଇଥିବା ମଣ୍ଡପ ବନ୍ଦ ଥିବା ଦେଖିବା ପରେ ବାହାଘର ପାଇଁ ଦେଖିଥିବା ସ୍ୱପ୍ନ ବାଲିଘର ଭଳି ଭୁଷୁଡ଼ି ପଡ଼ିଥିଲା । କନ୍ୟା ହାତ ଧରି ଘରକୁ ଆଣିବା ପାଇଁ ପର୍ଗତ ଯେଉଁ ସ୍ୱପ୍ନ ଦେଖିଥିଲେ ତାହ ତାଜ ପ୍ୟାଲେସରେ ପହଞ୍ଚିବା ପରେ ପାଣିଫୋଟକା ଭଳି ମିଳେଇ ଯାଇଥିଲା । କାରଣ କନ୍ୟା ପକ୍ଷରୁ ସ୍ଥିର କରାଯାଇଥିବା ତାଜ ପ୍ୟାଲେସ ମଣ୍ଡପ ବର ପହଞ୍ଚିବା ପୂର୍ବରୁ ହିଁ ତାଲା ପଡ଼ିଥିଲା । ଏହା ଦେଖିବା ପରେ ପର୍ଗତ ଜାଣି ସାରିଥିଲେ ଯେ, ଯାହାକୁ ଭଲପାଇ ଥିଲେ ସେ ତାଙ୍କୁ ବଲିଉଡ଼ ଫିଲ୍ମ ଭଳି ଧୋକା ଦେଇ ପଳାଇ ଯାଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପର୍ଗତ କିଛି ମାସ ପୂର୍ବେ ହସ୍ପିଟାଲରେ ସିମରନଜୀତ କୌରଙ୍କୁ ଭେଟିଥିଲେ । ଯିଏ ଚାକିରି ଅନ୍ୱେଷଣରେ ହସ୍ପିଟାଲରେ ପହଞ୍ଚିଥିଲେ । ପରେ ତାଙ୍କୁ ଚାକିରି ଖୋଜିବାରେ ପର୍ଗତ ସାହାଯ୍ୟ କରିବା ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢ଼ି ଉଠିଥିଲା । ପରେ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ବାହାଘର ପାଇଁ ନିଷ୍ପତି ନେବା ପରେ ସିମରନଜୀତ ବଲଜିତ କୌର ନାମକ ଏକ ମହିଳାଙ୍କ ସହ ପର୍ଗତଙ୍କୁ ଭେଟ କରାଇଥିଲେ । ବାହାଘରର ସମସ୍ତ ପ୍ରସ୍ତୁତି ବଲଜିତ ସମସ୍ତ ପ୍ରକାର ସାହାଯ୍ୟ କରିବେ ପର୍ଗତଙ୍କୁ କହିଥିଲେ ସିମରନଜିତ । ଆଉ ଏଥିପାଇଁ ୨ ଲକ୍ଷ ଟଙ୍କା ଦେବାକୁ ପର୍ଗତଙ୍କୁ କହିଥିଲେ ସିମରନଜିତ । କିନ୍ତୁ ବିବାହ ପ୍ରସ୍ତୁତି ନାଁରେ ପର୍ଗତଙ୍କୁ ଚୁନା ମାରିଥିଲେ ସିମରନଜିତ । ପର୍ଗତ ବରଯାତ୍ରୀଙ୍କ ସହ ମଣ୍ଡପରେ ପହଞ୍ଚିବା ପରେ ସିମରନଜିତ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ପୋଲିସରେ ଅଭିଯୋଗ ପରେ ଉଭୟ ସିମରନଜିତ ଓ ବଲଜିତଙ୍କୁ ଖୋଜୁଛି ପୋଲିସ ।