ଅପରାଧ ସେମାନେ କଲେ ଆଉ ଦଣ୍ଡ ମୁଁ ପାଉଛି । ଆଇନ ବୋଧୁଏ ଏଠି ଅପରାଧୀଙ୍କୁ ସମର୍ଥନ କରୁଛି, ୭ ବର୍ଷ ହେଲାଣି ନ୍ୟାୟକୁ ଅପେକ୍ଷା କରି ବଂଚିଛି : ନିର୍ଭୟାଙ୍କ ମା’

1,585

କନକ ବ୍ୟୁରୋ : ନିର୍ଭୟାର ଦୋଷୀଙ୍କୁ କେବେ ଦଣ୍ଡ ମିଳିବ? କେବେ ସେମାନେ ଫାଶୀରେ ଝୁଲିବେ । ଦୀର୍ଘ ୭ ବର୍ଷ ହେବ ଅପେକ୍ଷା କରି ରହିଛି । ଏ କୋର୍ଟରୁ ସେ କୋର୍ଟ ଦୌଡି ଦୌଡି ମତେ ବି ଭାରି କଷ୍ଟ ଲାଗିଲାଣି । ବାରମ୍ବାର ଶୁଣାଣୀ କରି କେବଳ ତାରିଖ ଆଉ ତାରିଖ ଘୁଂଚାଯାଉଛି । ଆଇନ କଣ ସତରେ ଅନ୍ଧ ହୋଇଗଲାଣି? ଆଉ କେତେ ଦିନ କଷ୍ଟ ପାଇବି? ମତେ ଲାଗୁଛି ସେମାନେ ଅପରାଧୀ ନୁହନ୍ତି ବରଂ ମୁଁ ଅପରାଧୀ । ଏମିତି କିଛି କହିଛନ୍ତି ନିର୍ଭୟାଙ୍କ ମା’ । ଗତକାଲି ଫାଶୀ ତାରିଖ ଘୁଂଚିବା କଥା ସାମ୍ନାକୁ ଆସିବା ପରେ ଏମିତି କୋହଭରା କଣ୍ଠରେ କହିଛନ୍ତି ନିର୍ଭୟାଙ୍କ ମା’ ।

ଏହାସହ ସେ ସରକାରଙ୍କୁ ବି ପ୍ରଶ୍ନ କରିଛନ୍ତି ଯେ, ଦୋଷୀଙ୍କ ଲାଗି ଏତେ ବିଚଳିତ କାହିଁକି? ମୋ ଝିଅକୁ ଯେଉଁ ପରି ଭାବରେ ଏମାନେ ଅତ୍ୟାଚାର ଓ ବର୍ବର ଭାବେ ମାରିଛନ୍ତି ଏମାନଙ୍କୁ କୌଣସି ପ୍ରକାରର ବି ସହାୟତା କରିବା ଆବଶ୍ୟକ ନାହିଁ । ଏମିତି ଦୋଷୀକୁ କେବଳ ମୃତ୍ୟୁଦଣ୍ଡ ଦେବାର ଆବଶ୍ୟକ ରହିଛି । ମତେ କଣ ସରକାର ମୋ ଝିଅକୁ ଫେରାଇ ଦେବେ କି ବୋଲି କାନ୍ଦି କାନ୍ଦି ପ୍ରଶ୍ନ ବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମତେ ଏମିତି ଲାଗୁଛି କି ସେମାନେ କିଛି ଦୋଷ କରିନାହାନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ ଫାଶୀ ଦଣ୍ଡାଦେଶ ଦେବା ଲାଗି ରାୟ ଶୁଣାଇବା ପରେ ଏତେ ଡେରି କାହିଁକି କରାଯାଉଛି ତାହା ବୁଝାପଡୁନାହିଁ । ଯେମିତି କର୍ମ ସେମାନେ କରିଛନ୍ତି ତାଙ୍କୁ କେବଳ ଫାଶୀ ହିଁ ସାସ୍ଥୀ । ଯେଉଁ ଦିନ ସେହି ନରରାକ୍ଷସ ଫାଶୀ ଖୁଂଟରେ ଝୁଲିବେ ତାହା ପରେ ହିଁ ନିର୍ଭୟାର ଆତ୍ମାଶାନ୍ତି ପାଇବ ଓ ମୋତେ ନ୍ୟାୟ ମିଳିବ ବୋଲି କହିଛନ୍ତି ନିର୍ଭୟାଙ୍କ ମା’ ।