ଆସିଲା ମୃତ୍ୟୁର ନୂଆ ପରୱାନା । ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ। ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ସୈତାନଙ୍କୁ ଦିଆଯିବ ଫାଶୀ

ଡେଥ୍ ୱାରେଣ୍ଟ ଜାରି କଲା ଦିଲ୍ଲୀ ପଟିଆଲା କୋର୍ଟ

1,211

ବିନୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ପବନ ବ୍ୟତୀତ ବାକି ୩ ଦୋଷୀଙ୍କ ସମସ୍ତ ବିକଳ୍ପ ଶେଷ

କନକ ବ୍ୟୁରୋ: ଫାଶୀ ପାଇଁ ଆସିଲା ନୂଆ ତାରିଖ । ଆସନ୍ତା ୩ ତାରିଖ ତଥା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁକ୍ତ ।  ଏନେଇ ଆଜି ନୂଆ ଡେଥ୍ ୱାରେଂଟ କରିଛି ପଟିଆଲା ହାଉସ କୋର୍ଟ ।  ଏନେଇ ଆଜି  କୋର୍ଟରେ ପାଖାପାଖି ଏକ ଘଂଟା କାଳ ଶୁଣାଣି ପରେ ନୂଆ ଡେଥ ୱାରେଂଟ ଜାରି କରିଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ।  ତେବେ ନିର୍ଭୟା ଦୋଷୀଙ୍କୁ  ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲାଯିବ ବୋଲି  ନିର୍ଦ୍ଦେଶ ଦେଇଛି କୋର୍ଟ ।

ତେବେ ଏହା ପୂର୍ବରୁ ଠିକ୍ ୨ଟା ବେଳେ ଆରମ୍ଭ ହୋଇଥିବା ଶୁଣାଣିରେ ସରକାରୀ ଓକିଲ କହିଥିଲେ କି, ୩ ଦୋଷୀ ତଥା ଅକ୍ଷୟ, ବିନୟ ଏବଂ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି । କେବଳ ଜଣେ ଦୋଷୀ ପବନର ପକ୍ଷରୁ ଏହି ମାମଲରେ ରାଜକ୍ଷମା ଆବେଦନ ଏବଂ କ୍ୟୁରେଟିଭ ପିଟିସନ ଦାଖଲ କରିବାର ବାକି ରହିଛି । ତେବେ ଓକିଲଙ୍କ କହିବା ଅନୁସାରେ, ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ସେମାନଙ୍କୁ ନିକଟରେ ଉପଲବ୍ଧ ରହିଥିବା ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଶେଷ କରିବାକୁ ୭ ଦିନର ଯେଉଁ ସମୟ କଣ୍ଟ ଦେଇଥିଲେ ତାହା ୧୧ ଫେବ୍ରୁଆରୀରୁ ଶେଷ ହୋଇ ଯାଇଛି। ତେଣୁ, ସେମାନଙ୍କର ଆଉ କୌଣସି ପ୍ରକାରର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି ବାଢିଥିଲେ ସରକାରୀ ଓକିଲ । ତେବେ ସମସ୍ତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ସହ ଏହି ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦୁଇ ଦୁଇ ଥର ମୃତ୍ୟୁର ପରୱାନା ଜାରି କରିସାରିଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । କୋର୍ଟ ପ୍ରଥମେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ ସୈତାନଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଡେଥ ୱାରେଂଟ ଜାରି କରିଥିଲା । ହେଲେ ସେ ସମୟରେ ନିର୍ଭୟା ଅଭିଯୁକ୍ତ ମୁକେଶ ରାଷ୍ଟ୍ରପତିଙ୍କ ନିକଟକୁ ରାଜକ୍ଷମା ଆବେଦନ କରିଥିଲା ଆଉ ଯାହାକୁ ଖାରଜ କରିଦେଇଥିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିନ୍ତୁ ନିୟମ ଅନୁସାରେ ୨୨ତାରିଖରେ ଦିଆଯାଇଥିବା ମୃତ୍ୟୁର ପରୱାନାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ ଜେଲ କର୍ତ୍ତୃପକ୍ଷ । ସେହିଭଲି ପରବର୍ତ୍ତୀ ସମୟରେ କୋର୍ଟ ପକ୍ଷରୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବା ପାଇଁ ସ୍ଥିର କରାଯାଇଥିଲା ସତ କିନ୍ତୁ ପୁଣି ଥରେ ଚକ୍ରାନ୍ତ କରି ଶେଷ ମୁହୂର୍ତ୍ତରେ ମୃତ୍ୟୁରୁ ବର୍ତ୍ତୀ ଯାଇ ଥିଲେ ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ ।