ଲଣ୍ଡନରୁ ଗିରଫ ହେଲେ ୧୩ ହଜାର କୋଟି ଟଙ୍କା ମହାଠକେଇର ମହାଠକ ନିରବ ମୋଦି । ଭାରତରୁ ଫେରାର ହେବାର ଦୀର୍ଘ ୧୩ ମାସ ପରେ ଗିରଫ ହେଲେ ଫ୍ରଡମାଷ୍ଟର

763

କନକ ବ୍ୟୁରୋ : ଗିରଫ ହେଲେ ପିଏନବି ମହାଠକେଇର ମହାଠକ ନିରବ ମୋଦି । ଲଣ୍ଡନରେ ନିରବଙ୍କୁ ଗିରଫ କରାଯାଇଛି । ୧୩ ହଜାର କୋଟି ଟଙ୍କା ଠକେଇ କରି ଭାରତରୁ ଫେରାର ହୋଇଯାଇଥିବା ମହାଧୂର୍ତ୍ତ ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଗିରଫ କରାଯାଇଛି । ଏନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗିରଫ ପରେ ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ । ନିରବଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ୱାରେଣ୍ଟ ଇସ୍ୟୁ କରାଯାଇଥିଲା । ଆଉ ବୁଧବାର ଦିନ ନିରବଙ୍କୁ ଗିରଫ କରାଯାଇଛି ।

ଗତ କିଛି ଦିନ ପୂର୍ବେ ମହାଠକ ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ନିରବ ମୋଦିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ରେଡ କର୍ଣ୍ଣର ନୋଟିସ ଜାରି କରାଯିବା ପରେ ୱେଷ୍ଟମିନିଷ୍ଟର କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଜାରି କରିଥିଲେ । ନିରବ ମୋଦିଙ୍କ ଗିରଫ ହେବା ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି ।