ମହାନଦୀ ପାଇଁ ଆଶା ବଢାଇଲା ଛତିଶଗଡର କଂଗ୍ରେସ ସରକାର । ନିରଂଜନ କହିଲେ, ବାତାବରଣ ସକରାତ୍ମକ ଅଛି

302

କନକ ବ୍ୟୁରୋ: ଛତିଶଗଡ ସରକାର ବଦଳିବା ପରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ମୁଖ୍ୟ ମୁଦ୍ଦା ବନାଇ ସବୁବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ପାଇଁ ଆଜି ପରୀକ୍ଷାର ବେଳ ପହଂଚିଛି । ତେବେ ରମଣଙ୍କ ରାଜ୍ କୁ ହଟାଇ ଛତିଶଗଡରେ ଶାସନର ମଙ୍ଗୁଆଲ ସାଜିଛି କଂଗ୍ରେସ । ଆଉ ଏହି ପରିପ୍ରେକ୍ଷୀରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମହାନଦୀ ଜଳ ବିବାଦର ସମାଧାନ କରିପାରନ୍ତି ବୋଲି ଓଡିଶାବାସୀଙ୍କ ଆଶା ସଂଚାର ହୋଇଛି ।

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଏନେଇ ଆଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଆଉ ମହାନଦୀକୁ ନେଇ ନୂଆ ସରକାର ବେଶ୍ ଆଶାବାଦୀ ଅଛନ୍ତି ବୋଲି ଓଡିଶା ଫେରି ନିରଂଜନ ପଟ୍ଟନାୟକ କହିଛନ୍ତି ।

ଭୂପେଶ ବଘେଲଙ୍କ ଶପଥ ପାଠରେ କାର୍ଯ୍ୟକ୍ରମ ସାମିଲ ହେବା ପାଇଂ ଗତକାଲି ଛତିଶଗଡ ଯାଇଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେଠାରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ କୌଣସି ଏକ ଭୁଲ ବୁଝାମଣା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ଏବଂ ଏହାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ବଘେଲ ତାଙ୍କୁ ଆଶ୍ୱସନା ଦେଇଥିବା ନିରଂଜନ କହିଛନ୍ତି । ଏହି ପରିପ୍ରେକ୍ଷୀରେ ନିରଂଜନ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉପରେ ବି ଦୋଷ ଲଦିବାକୁ ପଛାଇନାହାଁନ୍ତି । ଏହି ଦୁଇ ଦଳ ବିବାଦରେ ଆହୁରି ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ଆମେ ଯାହା ପ୍ରତିଶ୍ରୁତି ଦେଉ ତାହାକୁ ପୂରଣ କରୁ ମିଳିବ ବୋଲି ପିସିସି ସଭାପତି କହିଛନ୍ତି ।

ସେପଟେ, ନିରଂଜନର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି ନିରଂଜନ ଯେଉଁ କଥା କହୁଛନ୍ତି ତାହା ନିଶ୍ଚୟ ସ୍ୱାଗତ ଯୋଗ୍ୟ । କଥାରେ ନୁହେଁ, କାମରେ କରି ଦେଖାନ୍ତୁ । ଏନେଇ ରାଜ୍ୟ ସରକାରଙ୍କର ସହ ଆଲୋଚନା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ । କେବଳ ମନ୍ତବ୍ୟ ନରଖନ୍ତୁ ବୋଲି ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।