ପରାଜୟକୁ ସ୍ୱୀକାର କଲେ ପିସିସି ସଭାପତି । ଏଆଇସିସିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଜଣାଇଲେ ଶୁଭେଚ୍ଛା 

441

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଏକ ବଡ ଧରଣର ଝଟକା ଲାଗିଛି । ଦେଶ ବ୍ୟାପି କଂଗ୍ରେସକୁ ନିରୁତ୍ସାହଜନକ ଫଳାଫଳ ମିଳିଥିବା ବେଳେ ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ପିସିସି ସଭାପତି ପଦରୁ ନିରଂଜନ ଇସ୍ତାଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିବା କହିଛନ୍ତି ନିରଂଜନ ପଟ୍ଟନାୟକ । ତେବେ ପ୍ରତିକୂଲ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିସି ସଭାପତି ।

ଚଳିତ ନିର୍ବାଚନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢିଥିଲେ । କେନ୍ଦୁଝର ଜିଲ୍ଲା ଘସିପୁରା  ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀରୁ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଦୁଇଟି ଯାକ ଆସନରେ ନିରଂଜନଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ।