ସାବାସ୍ ନିରଞ୍ଜନ । ସେ ବୁଝିଛନ୍ତି ଦିବ୍ୟାଙ୍ଗ ହେବାର ଦୁଃଖ, ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ୨୦ ବର୍ଷ ହେଲା ଜାରି ରଖିଛନ୍ତି ସଂଘର୍ଷ । ଆସନ୍ତା ୩ରେ ସମ୍ବର୍ଦ୍ଧିତ କରିବେ କେନ୍ଦ୍ର ସରକାର ।

217

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ହେଲା ଦିବ୍ୟାଙ୍ଗଙ୍କ ପାଇଁ ସେ ଲଢେଇ କରୁଛନ୍ତି । ସେମାନଙ୍କର ଅଧିକାର ହାସଲ ପାଇଁ ସେ ଅଭିଯାନ ଚଲାଇଛନ୍ତି । କିନ୍ତୁ ଏହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ ଯେ, ସେ ନିଜେ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ସେ ଦୃଷ୍ଟିଶକ୍ତି ହୀନ । ତଥାପି ଜୀବନ ଯୁଦ୍ଧରେ ସେ ହାରିଯାଇନାହାନ୍ତି । ଏଭଳି ମହତ ଉଦ୍ଦେଶ୍ୟ ରଖି ନିଜ ଲକ୍ଷ୍ୟ ପଥରେ ସେ ଅଟଳ ରହିଛନ୍ତି । ସେ ହେଉଛନ୍ତି ପାରଳାଖେମୁଣ୍ଡିର ନିରଞ୍ଜନ ବେହେରା ।

ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ସହାୟତା ତଥା ଅଧିକାର ନିମନ୍ତେ ଦୀର୍ଘ ବର୍ଷ ହେଲା ସେ ସଂଘର୍ଷ କରି ଆସୁଛନ୍ତି । ପୁର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ କେନ୍ଦ୍ର ସରକାରଙ୍କ ସାମାଜିକ ନାୟ ଓ ସଶକ୍ତିକରଣ ବିଭିଗ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିବ । ଆଉ ସେଥି ପାଇଁ ତାଙ୍କ ପରିବାର ଗର୍ବିତ ଅନୁଭବ କରୁଥିବା ବେଳେ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଅକ୍ଷମ ନମଣି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନିରଞ୍ଜନ।

ନିରଞ୍ଜନ ବେହେରା । ସେ ନିଜେ ଜଣେ ଦିବ୍ୟାଙ୍ଗ । ସେ ବୁଝିଛନ୍ତି ଦିବ୍ୟାଙ୍କ ହେବାର ଦୁଃଖ । ଆଉ ବୁଝିଛନ୍ତି ସକ୍ଷମଙ୍କ ସମାଜରେ ଦିବ୍ୟାଙ୍ଗଟିଏ କିଭଳି ସମସ୍ୟାର ହୁଏ ସମ୍ମୁଖୀନ । କିଭଳି ଅଧିକାର ହାସଲ କରିବା ପାଇଁ ଦିବ୍ୟାଙ୍ଗଟିଏ କରେ ସଂଘର୍ଷ । ଆଉ ସେଇଥିପାଇଁ ଦୀର୍ଘ ୨୦ ବର୍ଷ ହେଲା ଦିବ୍ୟାଙ୍ଗଙ୍କ ଆଶାର ଆଲୋକ ସାଜିଛନ୍ତି ନିରଞ୍ଜନ । ନିଜ ଲକ୍ଷ୍ୟ ପଥରେ ଅଟଳ ରହି ଦିବ୍ୟାଙ୍ଗଙ୍କ ଅଧିକାର ହାସଲ କରିବା ପାଇଁ ସେ ଅନବରତ ଅଭିଯାନ ଜାରି ରଖିଛନ୍ତି ।