ନିର୍ବାଚନ ପୂର୍ବରୁ ମୋଦିଙ୍କ ଉପହାର: ଏଣିକି ରାସନକାର୍ଡଧାରୀଙ୍କୁ ମିଳିବ ମାଗଣାରେ ଗ୍ୟାସ୍, ଜାଣନ୍ତୁ କିଭଳି ପାଇବେ ଆପଣ

1,084

ଖୁବ୍ ଶୀଘ୍ର ହିଁ ସବୁ ପ୍ରକାରର ରାସନ କାର୍ଡ ଧାରକଙ୍କୁ ଉଜ୍ଜ୍ୱଳା ଯୋଜନା ଅନୁସାରେ ମାଗଣାରେ ଏଲପିଜି ଗ୍ୟାସ କନେକ୍ସନ ମିଳିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ. ଏନେଇ ମୋଦି ସରକାର ଚଳିତ ସପ୍ତାହରେ ହିଁ ଘୋଷଣା କରିପାରନ୍ତି । ଯୋଜନାରେ କିଛି ପରିବର୍ତ୍ତନ କରାଯିବା ପରେ ସବୁ ପ୍ରକାରର ରାସନ କାର୍ଡ ଧାରକଙ୍କୁ ତଥା ଗରିବ ସୀମାରେଖା ତଳେ ବାସକରୁଥିବା ସମସ୍ତ ପରିବାରକୁ ଏହି ସୁବିଧା ପ୍ରଦାନ କରାଯିବ । ତେବେ ଏଥିପାଇଁ ସେମାନଙ୍କୁ ଏକ ଘୋଷଣା ପତ୍ର ସରକାରଙ୍କୁ ଦେବାକୁ ପଡିବ । ଯେଉଁଥିରେ ସେ ଗରିବ ବୋଲି ଉଲ୍ଲେଖ ରହିଥିବ ।

ସୂଚନା ମୁତାବକ, ମଇ ୨୦୧୬ରେ ଗରିବ ପରିବାରଙ୍କୁ ରୋଷେଇ ପାଇଁ ଇନ୍ଧନ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ତେବେ ୩ ବର୍ଷ ଭିତରେ ୫କୋଟି ପରିବାରକୁ ମାଗଣାରେ ଏଲପିଜି କନେକ୍ସନ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଥିଲା । ସେତେବେଳେ ୨୦୧୧ରେ ହୋଇଥିବା ସାମାଜିକ ଆର୍ଥିକ ଏବଂ ଜାତିଗତ ଜନଗଣନାରେ ଗରିବ ସୀମାରେଖା ତଳେ ରହିଥିବା ପରିବାରକୁ ଏହାର ଲାଭ ଦେବା ସୁନିଶ୍ଚିତ କରାଯାଇଥିଲା । ଏଥିପାଇଁ ସରକାର ୮ ହଜାର ଟଙ୍କାର ବଜେଟ୍ ଆକଳନ କରିଥିଲେ । ଯାହା ନିର୍ଧାରିତ ସମୟ ପୂର୍ବରୁ ହିଁ ପୂରଣ ହୋଇସାରିଛି ।

ତେଣୁ ଏହି ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ଗତ ବଜେଟ ସମୟରେ ଅର୍ଥମନ୍ତ୍ରୀ ଏଥିପାଇଁ ୪ହଜାର ୮୦୦କୋଟି ଟଙ୍କାର ଅତିରିକ୍ତ ବଜେଟ ଆକଳନ କରିଥିଲେ । ଏଥି ସହିତ ହିଁ ଏହି ଯୋଜନାର ଲକ୍ଷ୍ୟକୁ ବଢାଯାଇ ୨୦୨୦ ସୁଦ୍ଧା ୮କୋଟି ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏଯାବତ୍ ଏହି ଯୋଜନାର ଲାଭ ପାଖାପାଖି ୫.୮ କୋଟି ପରିବାର ଉଠାଇସାରିଲେଣି । ଯାହା ୮କୋଟି ପରିବାର ଲକ୍ଷ୍ୟଠାରୁ ବହୁ ଗୁଣା କମ୍ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାକୁ ସମସ୍ତ ଗରିବ ପରିବାରଙ୍କ ପାଇଁ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ସାରା ଦେଶରେ ପାଖାପାଖି ୯କୋଟି ୨୭ ଲକ୍ଷ ରାସନ କାର୍ଡ ଧାରକ ଅଛନ୍ତି । ତେବେ ଏହି ପରିବର୍ତନ ଦ୍ୱାରା କୋଟି କୋଟି ଜନତାଙ୍କୁ ଏହି ଯୋଜନାର ଫାଇଦା ମିଳିବ ।