କାଲି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ । ଅକଲାଣ୍ଡରେ ହାଇଭୋଲଟେଜ ଟକ୍କର, ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ବିରାଟ ବାହିନୀ ।

356

କନକ ବ୍ୟୁରୋ : କାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଗତକାଲି ଅକଲାଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ କିୱି ଦଳକୁ ୬ ୱିକେଟରେ ମାତ୍ ଦେଇଥିଲା କୋହଲି ବାହିନୀ । ଏହି ଦମଦାର ବିଜୟ ସହ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଉ ଆସନ୍ତାକାଲି ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିରାଟ ବ୍ରିଗେଡ୍ ।

ଅନ୍ୟପଟେ ପ୍ରଥମ ମ୍ୟାଚର ବଦଲା ନେବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ପ୍ରଥମ ମୁକାବିଲା ଦଳ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସୁଦ୍ଧା ବୋଲିଂ କ୍ଷେତ୍ରରେ ଟିକିଏ ଦୁର୍ବଳ ପଡିଥିଲା । ତେଣୁ ଆଗାମୀ ମ୍ୟାଚରେ ଦଳ ବୋଲିଂ କ୍ଷେତ୍ର ପ୍ରତି ବିଶେଷ ଦୃଷ୍ଟି ଦେବ ।

ପ୍ରଥମ ଲଢେଇରେ ସମସ୍ତ ଖେଳାଳୀ ଭଲ ପ୍ରଦର୍ଶନ କରିଥିବାରୁ କାଲି ମ୍ୟାଚରେ ଭାରତ ଦଳରେ କୌଣସି ପରିବର୍ତ୍ତନ କରିନପାରେ । କିନ୍ତୁ ସାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ସମ୍ଭାବ୍ୟ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ (ୱିକେଟରକ୍ଷକ), ମନିଷ ପାଣ୍ଡେ, ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଡା, ଶିଭମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରିତ ବୁମରା, ମହମ୍ମଦ ଶାମି ।