ଭୁବନେଶ୍ୱର (ସୁବ୍ରତ ଦାସ) : ରାଜ୍ୟର ଯୁବବର୍ଗ ଏବଂ ବିଶେଷତଃ ନୂତନ ଭାବେ ଭୋଟ ଅଧିକାର ପାଉଥିବା ଯୁବକଯୁବତୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ବିଜୁ ଯୁବ ବାହିନୀ ନାମରେ ସ୍ୱେଚ୍ଛାସେବୀ ସଂଗଠନ ଗଠନ ସାଂଗକୁ ଯୁବ ସମାବେଶମାନ ରାଜ୍ୟସାରା ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। ପ୍ରତି ଯୁବ ବାହିନୀକୁ ଦିଆଯାଉଛି ବର୍ଷକୁ ଦେଢ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ।

Advertisment

ରାଜ୍ୟର ମୋଟ ୪ କୋଟି ୨୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଶତକଡା ୪୨ ଭାଗ ହେଉଛନ୍ତି ଯୁବକ ଓ ଯୁବତୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ଚଳିତ ବର୍ଷ ଚୂଡାନ୍ତ ହୋଇଥିବା ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ୫ ଲକ୍ଷ ୪୫ ହଜାର ଯୁବକ ଯୁବତୀ । ଯେଉଁମାନଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ଓ ଏମାନେ ପ୍ରଥମ ଥର ପାଇଁ ଭୋଟ ଦେବେ।

publive-imageଏହି ପରିପ୍ରେକ୍ଷୀରେ ଶାସକ ବିଜୁ ଜନତା ଦଳର ଦୃଷ୍ଟି ଏହି ଶ୍ରେଣୀର ଭୋଟରଙ୍କ ଉପରେ ପଡ଼ିଛି । ରାଜ୍ୟର ସମସ୍ତ ୬୭୯୯ ଗ୍ରାମ ପଞ୍ଚାୟତ ଏବଂ ୧୧୪ଟି ପୌରାଞ୍ଚଳରେ ଗଠିତ ହୋଇଛି ପ୍ରାୟ ୮ ହଜାର ବିଜୁ ଯୁବବାହିନୀ । ଏହାର ସଭ୍ୟ ସଂଖ୍ୟା ୩ ଲକ୍ଷରେ ପହଞ୍ଚିଲାଣି। ଇତିମଧ୍ୟରେ ୧୧ ରୁ ୧୪ ଯୁବ ସମାବେଶ ଆୟୋଜନ କରାଯାଇସାରିଲାଣି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ଏହି ଯୁବ ସମାବେଶଗୁଡ଼ିକରେ ବେଶ୍ ଲୋକ ସମାଗମ ହେଉଥିବା ଦେଖାଯାଇଛି।

ପ୍ରତି ଯୁବବାହିନୀକୁ ବର୍ଷକୁ ଦେଢ଼ ଲକ୍ଷ ଲେଖାଏଁ ଅନୁଦାନ ଦିଆଯାଉଛି। ଏଥିପାଇଁ ପଞ୍ଜିକୃତ ଯୁବ ବାହିନୀଗୁଡ଼ିକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଅନୁଦାନର ଖର୍ଚ୍ଚ ହିସାବ ସଂପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଏଥର ବଜେଟରେ ବିଜୁ ଯୁବ ବାହିନୀ ୧୦୫ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି।

publive-imageଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ଅଭିଯୋଗ ହେଲା ସରକାରୀ ଅର୍ଥରେ ଶାସକ ଦଳର କର୍ମୀ ଓ ଗୁଣ୍ଡାଙ୍କୁ ପୋଷାଯାଉଛି। ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ‘ନିର୍ବାଚନ ପୂର୍ବରୁ ସରକାରୀ ଅର୍ଥ ହରିଲୁଟ କରିବା ପାଇଁ ଏହି ଯୋଜନା କରାଯାଇଛି।’

ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଗୋଲକ ମହାପାତ୍ର ଏହି ଉକ୍ତି ଦୋହରାଇବା ସଂଗେସଂଗେ କହଛନ୍ତି ଯେ, ‘ବିଜୁ ଯୁବ ବାହିନୀକୁ ସମାଜର ହିତରେ ଲଗାଯାଉ ନାହିଁ। ସରକାର ଯଦି ସେମାନଙ୍କୁ ସମାଜର ହିତରେ ଲଗାଇବାକୁ ଚାହାନ୍ତି, ତେବେ ସେମାନଙ୍କୁ ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶ ଲାଗି ନିୟୋଜିତ କରନ୍ତୁ।’

publive-imageଅନ୍ୟ ପକ୍ଷରେ ଶାସକ ବିଜୁ ଜନତା ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଯୁବସମାଜର ଦକ୍ଷତା ବିକାଶ ପାଇଁ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜ୍ୟର ବହୁ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ହୋଇଛି ଏବଂ ୯୬ ହଜାରଙ୍କୁ ଚାକିରି ସୁଯୋଗ ଦିଆଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କଳିଙ୍ଗ ସାଥୀ ଯୋଜନାରେ ଶତକଡା ୧ ପ୍ରତିଶତ ସୁଧରେ ଋଣ ଦେବା ଲାଗି ବ୍ୟବସ୍ଥା କରିବା ସାଂଗକୁ ଭଲ ପଢୁଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରାଯାଉଛି। ରାଜ୍ୟର ଯୁବକଯୁବତୀମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଯୁବନୀତି ୨୦୧୩ ମସିହାରେ ପ୍ରଣୟନ କରିବା ସାଂଗକୁ ସମାଜ ସେବା ପାଇଁ ଆଗ୍ରହୀ ସ୍ୱେଚ୍ଛାସେବୀମାନଙ୍କ ପାଇଁ ବିଜୁ ଯୁବ ବାହିନୀ ଗଠନ କରିଛନ୍ତି। ‘ତେବେ ଏସବୁ ଆଦୌ ଭୋଟ ସର୍ବସ୍ୱ ନୁହେଁ, ବିକାଶ ସର୍ବସ୍ୱ’ ବୋଲି ସେ କହିଛନ୍ତି । ‘ବିଜୁ ଯୁବ ବାହିନୀ’ ଗଠନ ପାଇଁ ରାଜ୍ୟ ସରକାରଙ୍କ ଗଠନମୂଳକ ପ୍ରଚେଷ୍ଟାକୁ ବିରୋଧୀ ଦଳମାନେ ଗୌଣ କରିବା ଲାଗି ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ଦଳୀୟ ମୁଖପାତ୍ର ଶ୍ରୀ ପାତ୍ର ମନ୍ତବ୍ୟ ଦେଇଛନ୍ତି ।