କେମିତି ହୋଇଥିଲା ନିକିତାଙ୍କର ମୃତ୍ୟୁ ! ନଣନ୍ଦ କହିଲେ ସେହି କାଳରାତ୍ରୀର ୭ ମିନିଟର ସତ ?

562

କନକ ବ୍ୟୁରୋ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆଜି ଏକ ନୂଆ ମୋଡ ଆସିଛି । ନିକିତାଙ୍କ ନଣନ୍ଦ କହିଛନ୍ତି, ଘଟଣା ପାଇଁ ତାଙ୍କ ଭାଇ ଲିପନଙ୍କୁ ଏକା ଦାୟୀ କରାଯାଇପାରିବ ନାହିଁ । କାରଣ, ନିକିତାଙ୍କ ମୃତ୍ୟୁ ବେଳେ ଘଟଣାସ୍ଥଳରେ ନିକିତାଙ୍କ ବାପା-ମାଆ ବି ଉପସ୍ଥିତ ଥିଲେ । ଏପରିକି ନିକିତାଙ୍କୁ ବଂଚାଇବାକୁ ତାଙ୍କ ଭାଇ ଲିପନ ଏବଂ ନିକିତାଙ୍କ ବାପା ସେଦିନ ଚେଷ୍ଟା ବି କରିଥିଲେ । ଗୋଟିଏ ପଟେ ପୋଲିସ ସ୍ୱାମୀ ଲିପନଙ୍କୁ ଗିରଫ କରିଥିବା ବେଳେ ଏବେ ନିକିତାଙ୍କ ନଣନ୍ଦଙ୍କ ବୟାନ, ପୁରା ଘଟଣାକୁ ଆହୁରି ଜଟିଳ କରିଦେଇଛି ।

ଜାନୁଆରୀ ୪ , ୨୦୧୯ । ନିକିତାଙ୍କ ନଣନ୍ଦଙ୍କ କହିବା କଥା, ସେଦିନ ରାତିରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି କହି, ନିକିତା ଉପରକୁ ଚାଲିଯାଇଥିଲେ । ନିକିତାଙ୍କ ପଛରେ ସ୍ୱାମୀ ଓ ନିକିତାଙ୍କ ବାପା-ମାଆ ଛାତ ଉପରକୁ ଯାଇଥିଲେ । ନିକିତା ତଳକୁ ଡେଇଁବା ବେଳେ ସ୍ୱାମୀ ଲିପନ ଓ ନିକିତାଙ୍କ  ବାପା ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପ୍ରାୟ ୭-୮ ମିନିଟ୍ ଧରି ନିକିତାଙ୍କ ହାତକୁ ଧରି ରଖିଥିଲେ । ଶେଷରେ ତଳକୁ ଖସିପଡିଥିଲେ ନିକିତା ।

ଭାଇଙ୍କ ସପକ୍ଷରେ ଯାଇ ନିକିତାଙ୍କ ପରିବାରକୁ କାଠଗଡାକୁ ଟାଣିଛନ୍ତି ନଣନ୍ଦ ସୋନମ୍ । କହିଛନ୍ତି, ମହାନଦୀ ବିହାର ନିକିତାଙ୍କ ଘରେ ସେଦିନ ରାତିରେ ଯାହା ଘଟିଗଲା, ସେଥିପାଇଁ ତାଙ୍କ ଭାଇ ଲିପନ ଯେତିକି ଦାୟୀ , ନିକିତାଙ୍କ ବାପ ଘର ଲୋକ ମଧ୍ୟ ସେତିକି ଦାୟୀ । ତେବେ ଘଟଣା ପରଦିନ ନିକିତାଙ୍କ ବାପା ଭିନ୍ନ କଥା କହିଥିଲେ । ତାଙ୍କ ଝିଅକୁ ଲିପନ ହିଁ ଛାତ ଉପରୁ ଠେଲି ଦେଇଥିବା ଅଭିଯୋଗ କରିଥିଲେ ନିକିତାଙ୍କ ବାପା ।

ନିକିତାଙ୍କ ବାପାଙ୍କ ଅଭିଯୋଗ ଏବଂ ପରେ ସ୍ୱାମୀ ଲିପନଙ୍କୁ ପଚରାଉଚରା କରି ତାଙ୍କୁ ଗିରଫ କରିଛି ପୋଲିସ । ବର୍ତମାନ ଲିପନ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏହାରି ଭିତରେ ନଣନ୍ଦଙ୍କ ମୁହଁରେ ନିକିତାଙ୍କ ମୃତ୍ୟୁ ସମୟର କାହାଣୀ ପୁଣି ଘଟଣାକୁ ଜଟିଳ କରିଦେଇଛି ।