ବିଜେପୁର ପାଇଁ ବିରୋଧୀଙ୍କ ରଣନୀତି । ପଶ୍ଚିମ ଓଡ଼ିଶାର ନେତାଙ୍କୁ ନେଇ ପ୍ରଚାର କରିବ ବିଜେପି, ବାହାରୁ ଆମଦାନୀ ହେବନି ନେତା । କଂଗ୍ରେସର ସିଧା ପ୍ରଶ୍ନ, କାହିଁକି ବିଜେପୁର ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ?

468

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ଯେତିକି ଆଖେଇ ଆସୁଛି, ସେତିକି ଉଷୁମ ହେଉଛି ରାଜନୀତି । ଶାସକ ଦଳ ପୁଣି ଥରେ ବିଜେପୁର ଆସନ ଜିତିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ସେପଟେ ଭିନ୍ନ ରଣନୀତି ଆପଣାଇଛି ବିରୋଧୀ । କାହିଁକି ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିଲେ, ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ମାତ ଦେବାକୁ ରଣନୀତି ଆପଣାଇଛି ବିଜେପି । ସେହିପରି ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଆଧାର କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି କଂଗ୍ରେସ । ପଶ୍ଚିମାଂଚଳ ନେତାଙ୍କ ହାତରେ ପ୍ରଚାରର ମଙ୍ଗ ଧରାଇଛନ୍ତି ଦୁଇ ବିରୋଧୀ ଦଳ ।

ବିଜେପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ପୂରା ଦମ ଲଗାଇ ଦେଇଥିବା ବେଳେ ବିରୋଧୀ କିନ୍ତୁ ଆପଣାଇଛନ୍ତି ନୂଆ ରଣନୀତି । ବିଜେପୁରରେ ବିଜେଡିର ପୁଳା ପୁଳା ନେତା ଡେରା ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେପଟେ ଦୁଇଟି ପ୍ରସଙ୍ଗ ଅଧାରରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି ଉଭୟ ବିଜେପି ଓ କଂଗ୍ରେସ ।
୧ ନମ୍ବର ପ୍ରସଙ୍ଗ – କାହିଁକି ମୁଖ୍ୟମନ୍ତ୍ରୀ ଛାଡିଲେ ବିଜେପୁର ଆସନ?
ବିରୋଧୀଙ୍କ ୨ ନମ୍ବର ପ୍ରସଙ୍ଗ – ବିଜେପୁରବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ କାହିଁକି ପ୍ରତାରଣା କଲେ ସରକାର?

ପଶ୍ଚିମାଂଚଳର ନେତାଙ୍କ ହାତରେ ବିଜେପୁର ପ୍ରଚାରର ମଙ୍ଗ ଦେବାକୁ ମନସ୍ଥିର କରିଛନ୍ତି ବିରୋଧୀ । କେବଳ ଦଳୀୟ ସଂଗଠନର ମୁଖ୍ୟ ଓ ପ୍ରଭାବଶାଳୀ ନେତା ପ୍ରଚାର ପାଇଁ ବିଜେପୁର ଯିବେ । ଶାସକ ଦଳ ବିରୋଧରେ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ରହିଛି ବୋଲି କହିଛନ୍ତି ପିସିସି ସଭାପତି । ତେବେ ବିଜେଡି କହିଛି, ବିରୋଧୀ ଦଳ ଉପରୁ ଆସ୍ଥା ହରାଇଛନ୍ତି ବିଜେପୁରବାସୀ । ଏଥର ଦଳ ଅଧିକ ଭୋଟରେ ବିଜୟ ଲାଭ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତିି ମନ୍ତ୍ରୀ ପ୍ରତାପ ଜେନା ।

ଆଉ ଏସବୁ ଭିତରେ ବିଜେପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାହିଁକି ବିଜେପୁର ଆସନ ଛାଡିଲେ ବୋଲି ପ୍ରଶ୍ନ କରିଥିଲେ । ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପୁର ରାଜନୀତି ସରଗରମ ହେବାରେ ଲାଗିଛି ।