ଆଇପିଏଲ ୨୦୨୦ରେ ଆସିବ ନୂଆ ନିୟମ । ଗୋଟିଏ ଟିମରେ ଖେଳିବେ କୋହଲି, ଧୋନି ଓ ରୋହିତ, ନୂଆ ନିୟମକୁ ଗାଙ୍ଗୁଲିଙ୍କ ଗ୍ରୀନ୍ ସିଗନାଲ ।

7,451

ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୩ ତମ ସଂସ୍କରଣ । ପୁଣିଥରେ ଫଟାଫଟ କ୍ରିକେଟର ମଜା ଉଠାଇବେ କ୍ରିକେଟପ୍ରେମୀ । ୮ଟି ଟିମକୁ ନେଇ ହେବ ମହାଲଢେଇ । ତେବେ ଚଳିତ ଆଇପିଏଲରେ କିଛି ନୂଆ ଦେଖିବାକୁ ମିଳିବ । ଆଇପିଏଲର ୧୩ ତମ ସଂସ୍କରଣରେ ଅନେକ ନୂଆ ନିୟମ ଦେଖିବାକୁ ପାଇବେ ଦର୍ଶକ । ଆଉ ଏହି ନୂଆ ନିୟମ ଆଇପିଏଲର ରୋମାଞ୍ଚକୁ ଦ୍ୱିଗୁଣିତ କରିବ । ନୂଆ ନିୟମକୁ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନସିଲ ଗ୍ରୀନ୍ ସିଗନାଲ ଦେଇଛି ।

ମାର୍ଚ୍ଚ ୨୯ରେ ହେବାକୁ ଥିବା ଆଇପିଏଲ ସିଜିନ ୧୩ରେ ଯେଉଁ ନୂଆ ନିୟମକୁ ଅଧିକ ଚର୍ଚ୍ଚା ହେଉଛି ତାହା ହେଲା କନ-କସନ ସବଷ୍ଟିଚ୍ୟୁଟସ । ନୂଆ ନିୟମ ଅନୁଯାୟୀ, ମ୍ୟାଚ୍ ମଝିରେ ଯଦି କୌଣସି ବ୍ୟାଟସମ୍ୟାନ କିମ୍ବା ବୋଲର ଆହତ ହୁଅନ୍ତି ତେବେ ତାଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ସେହି ସ୍ଥାନରେ ଖେଳାଯିବ । ଯାହାକୁ କନ-କସନ ନିୟମ ବୋଲି କୁହାଯାଇଛି । ତେବେ ବଦଳ ଖେଳାଳିଙ୍କ ବାବଦରେ ମ୍ୟାଚ୍ ରେଫରୀ ଶେଷ ନିଷ୍ପତି ନେବେ । ଏହି ନୂଆ ନିୟମକୁ ନେଇ କ୍ରିକେଟପ୍ରେମୀ ଅଧିକ ଉତ୍ସାହିତ ଅଛନ୍ତି । ଏହି ନିୟମ ପୂର୍ବରୁ ଆସେସ ମ୍ୟାଚରେ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆହତ ହେବା କାରଣରୁ ମାର୍କସ ଲାବୁସଚେଞ୍ଜଙ୍କୁ ସାମିଲ କରାଯାଇଥିଲା ।

ସେହିଭଳି ଅନ୍ୟ ଏକ ନୂଆ ନିୟମ ଅନୁଯାୟୀ, ଫିଲ୍ଡ ଅମ୍ପାୟାର ନୋ ବଲ ନେଇ ଶେଷ ନିଷ୍ପତି ନେଇପାରିବେ ନାହିଁ । ଥାର୍ଡ ଅମ୍ପାୟାର ହିଁ ନୋ ବଲ ନେଇ ନିଷ୍ପତି ନେବେ । ଏହି ନିୟମ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରେ ଲାଗୁ ହୋଇଥିଲା । ଯାହାକୁ ଏବେ ଆଇପିଏଲରେ ଲାଗୁ କରାଯିବ । କାରଣ ଏହାପୂର୍ବରୁ ୨୦୧୯ ଆଇପିଏଲର ୧୨ତମ ସଂସ୍କରଣରେ ନୋ ବଲକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଅମ୍ପାୟାରଙ୍କ ନୋ ବଲ ନିଷ୍ପତି ମ୍ୟାଚର ଫଳାଫଳକୁ ବଦଳାଇ ଦେଇଥିଲା । ସେହିଭଳି ନୋ ବଲକୁ ନେଇ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବାକୁ ମଧ୍ୟ ପଛାଇ ନଥିଲେ । ତେଣୁ ନୋ ବଲ ନିୟମରେ କିଛିଟି ପରିବର୍ତ୍ତନ ଅଣାଯାଇଛି ।

ଏହାଛଡା ଚଳିତ ଆଇପିଏଲର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ୮ ଟିମର ଖେଳାଳିଙ୍କୁ ନେଇ ଅଲଷ୍ଟାର୍ସ ମ୍ୟାଚ୍ ଖେଳାଯିବ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଚ୍ୟାରିଟି ମ୍ୟାଚ୍ ଖେଳାଯିବ । ଉଦଘାଟନୀ ମ୍ୟାଚର ୩ ଦିନ ପୂର୍ବରୁ ଏହି ମ୍ୟାଚ୍ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ମ୍ୟାଚ୍ ପାଇଁ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନସିଲ ଦୁଇଟି ଟିମ୍ ଗଠନ କରିବ । ଗୋଟିଏ ଟିମ ପୂର୍ବ ଓ ଉତ୍ତର ଭାରତର ରହିବାକୁ ଥିବା ବେଳେ ଅନ୍ୟ ଟିମ ଦକ୍ଷିଣ ଓ ପଶ୍ଚିମ ଭାରତର ରହିବ । ତେଣୁ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଓ କୋଲକାତା ଫ୍ରାଞ୍ଚାଇଜକୁ ନେଇ ଗୋଟିଏ ଟିମ୍ ଓ ଚେନ୍ନାଇ, ମୁମ୍ବାଇ, ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦକୁ ନେଇ ଅନ୍ୟ ଟିମ୍ ରହିବ । ତେଣୁ ଚଳିତ ବର୍ଷ ହେବାକୁ ଥିବା ଅଲ ଷ୍ଟାର୍ସ ମ୍ୟାଚରେ ରୋହିତ, କୋହଲି ଓ ଧୋନିଙ୍କୁ ଗୋଟିଏ ଟିମରେ ଦେଖିବାକୁ ମିଳିପାରେ ।
ଚଳିତ ବର୍ଷ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଉଭୟ ଉଦଘାଟନୀ ଓ ଉଦଯାପନୀ ମ୍ୟାଚ୍ ଖେଳାଯିବ । ମାର୍ଚ୍ଚ ୨୯ରେ ଉଦଘାଟନୀ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ମେ’ ୨୪ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।