ରାଜ୍ୟର ପେନସନଭୋଗୀଙ୍କ ପାଇଁ ସ୍ୱତନ୍ତ୍ର ପୋର୍ଟାଲ‘ଅର୍ପଣ’। ଆବେଦନକରିବା ସହ ପାଇପାରିବେ ବିଭିନ୍ନ ସୁବିଧା

36

କନକ ବ୍ୟୁରୋ: ରାଜ୍ୟର ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ‘ଅର୍ପଣ’କୁ ଲୋକାର୍ପଣ କରାଯାଇଛି । ୨୦୧୬ ପୂର୍ବର ପେନସନଭୋଗୀମାନେ ଅନଲାଇନ ମାଧ୍ୟମରେ ପେନସନ ରାଶିର ପୁନଃନିର୍ଦ୍ଧାରଣ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି। ଏହା ସହ ବିଭିନ୍ନ ସରକାରୀ ଦେୟ ପ୍ରଦାନ ନିମନ୍ତେ ଏକ ମୋବାଇଲ ଆପ ମଧ୍ୟ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ପେନସନଭୋଗୀଙ୍କ ସମସ୍ୟାକୁ ସରକାର ପ୍ରାଥମିକତା ଭିତ୍ତିରେ ସମାଧାନ କରୁଛନ୍ତି। ଏହି ପୋର୍ଟାଲଟି ବରିଷ୍ଠ ନାଗରିକମାନଙ୍କୁ ବେଶ ସହାୟ ହୋଇପାରିବ। ସେମାନେ ବିନା ବାଧାରେ ଓ ସମୟସୀମା ମାଧ୍ୟମରେ ସେମାନଙ୍କ ହକ ପାଇପାରିବେ। ଏହା ଦେଶରେ ପ୍ରଥମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟମ୍ବର,୨୦୧୭ଠାରୁ ରାଜ୍ୟର ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କ ପେନସନ ସ୍ଥିରୀକୃତ ହୋଇସାରିଛି ଓ ବର୍ଦ୍ଧିତ ପେନସନ ଇତି ମଧ୍ୟରେ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ପୂର୍ଣ୍ଣ ପେନସନ ପାଇଁ ଆବଶ୍ୟକ ୩୩ ବର୍ଷର ନିରବଚ୍ଛିନ୍ନ ସେବାକୁ ୨୫ ବର୍ଷକୁ କମାଇ ଦିଆଯାଇଛି। ଏହି ନୂଆ ପେନସନ ବ୍ୟବସ୍ଥାରେ ପେନସନଭୋଗୀଙ୍କ ପେନସନ ରାଶିର ପୁନଃ ନିର୍ଦ୍ଧାରଣ ହୋଇ ସେମାନଙ୍କ ରାଶିରେ ବୃଦ୍ଧି ଘଟିବ।

ଏଥି ପାଇଁ ପେନସନଭୋଗୀମାନେ ସେମାନଙ୍କ ଆବେଦନ ପତ୍ର ପେନସନ ବିତରଣ ଅଧିକାରୀଙ୍କ ପାଖରେ ଦାଖଲ କରିବାର ନିୟମ ଅଛି। ‘ଅର୍ପଣ’ ପୋର୍ଟାଲରେ ଜଣେ ପେନସନଭୋଗୀ ନିଜର ଆଧାର ନମ୍ବର ସହ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଯେଉଁ ଆବେଦନକାରୀଙ୍କ ଆଧାର ନମ୍ବର ନାହିଁ, ସେମାନେ ମଧ୍ୟ ଅନଲାଇନରେ ଆବେଦନ କରିପାରିବେ। କିନ୍ତୁ ସେମାନଙ୍କୁ ନିଜ ଆବେଦନପତ୍ରର ଅବିକଳ ନକଲ ପେନସନ ବିତରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ। ଏହି ପୋର୍ଟାଲ ମାଧ୍ୟମରେ ଜଣେ ପେନସନଭୋଗୀ ନିଜ ଆବେଦନର ସ୍ଥିତି ସମ୍ପର୍କରେ ସୂଚନା ପାଇବା ସହ ଅଭିଯୋଗ ଦାଖଲ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ନିକଟରେ ଅବସର ଗ୍ରହଣ କରିବାକୁ ଯାଉଥିବା କର୍ମଚାରୀଙ୍କ ପାଇଁ ସମନ୍ଵିତ ଆର୍ଥିକ ପରିଚାଳନା ବ୍ୟବସ୍ଥାରେ(ଆଇଏଫଏମଏସ) ଅନଲାଇନ ପେନସନ ଆପ୍ଲିକେସନର ବ୍ୟବସ୍ଥା କରାଯାଇଛି। ଏଥିରେ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ଆବେଦନକାରୀ ସବୁ ସ୍ତରରେ ଏସଏମଏସ ମାଧ୍ୟମରେ ସୂଚନା ପାଇପାରିବେ। ଟିକସଦାତାମାନଙ୍କ ସୁବିଧା ପାଇଁ ଏକ ମୋବାଇଲ ଆପର ପ୍ରଚଳନ କରାଯାଇଛି। ଏହି ଆପ ଜରିଆରେ ଜନସାଧାରଣ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ମୋବାଇଲ ମାଧ୍ୟମରେ ନିଜର ଦେୟ ପ୍ରଦାନ କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗତକାଲିର ଲୋକାର୍ପଣ ଉତ୍ସବରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ ସମେତ ବିଭିନ୍ନ ବିଭାଗର ସଚିବ, ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।