ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ନେଇ ଆସିଲା ନୂଆ ତଥ୍ୟ । ୨.୧ କିଲୋମିଟର ନୁହେଁ ମାତ୍ର ୩୩୫ ମିଟର ଉଚ୍ଚତାରୁ କଟିଥିଲା ଯୋଗାଯୋଗ

6,503

କନକ ବ୍ୟୁରୋ : ମିଶନ ଚନ୍ଦ୍ରଯାନ-୨ରେ ଲ୍ୟାଣ୍ଡର ବିକ୍ରମ ସହିତ କେଉଁଠି କଟିଗଲା ସଂପର୍କ , ଏହାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବେଳର ମିଶନ ଅପରେସନ୍ କମ୍ପଲେକ୍ସ ଗ୍ରାଫକୁ ବିଚାରକୁ ନିଆଯାଇଛି । ୭ ସେପ୍ଟେମ୍ୱରରେ ଇସ୍ରୋର ମିଶନ ଅପରେସନ୍ କମ୍ପଲେକ୍ସ ପରଦାରେ ଆସୁଥିବା ଗ୍ରାଫକୁ ଗଭୀର ଅନୁଧ୍ୟାନ କରିବା ପରେ ଜଣା ପଡିଛି ସଂପର୍କ ଚନ୍ଦ୍ରପୃଷ୍ଠରୁ ୨ ଦଶମିକ ଏକ କିଲୋମିଟର ନୁହଁ ସଂପର୍କ ମାତ୍ର ୩୩୫ ମିଟର ଉଚ୍ଚରୁ ଛିନ୍ନ ହୋଇଯାଇଥିଲା ।
ମିଶନ ଚନ୍ଦ୍ରଯାନ ୨ରେ ଲ୍ୟାଣ୍ଡର ବିକ୍ରମ ସହିତ କେଉଁଠି କଟିଗଲା ସଂପର୍କ , ଏହାକୁ ନେଇ ଏବେ ବି ବୈଜ୍ଞାନିକ ଚଳାଇଛନ୍ତି ଅନୁସନ୍ଧାନ । ଏଭଳି ସମୟରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦକୁ ବି ବୟାନ କରିପାରେ । ଠିକ୍ ଯେମିତି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବେଳର ଫଟୋଟିକୁ ବିଚାରକୁ ନିଆଯାଇଛି ।

ମିଶନ ଚନ୍ଦ୍ରଯାନ ୨ରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବେଳେ ପ୍ରଥମେ ସୂଚନା ଆସିଥିଲା ଚନ୍ଦ୍ର ପୃଷ୍ଠରୁ ୨ ଦଶମିକ ଏକ କିଲୋମିଟର ଉଚ୍ଚରେ ସଂପର୍କ ଛିନ୍ନ ହୋଇଗଲା । ଏହା ପର ଠାରୁ ଏହା ସହିତ ଆଉ ସଂପର୍କ ସମ୍ଭବ ହୋଇପାରିନି । ଅର୍ବିଟର ପଠାଇଥିବା ଫଟୋରୁ ପ୍ରମାଣ ମିଳିଥିଲା ନିର୍ଧାରିତ ସ୍ଥାନ ନିକଟରେ ଏହାର ହାର୍ଡ ଲ୍ୟାଣ୍ଡିଂ ହୋଇଛି । ତେବେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବେଳେ ଶେଷ ଗ୍ରାଫ୍ ଯାହା ଇସ୍ରୋ ନିକଟରେ ରହିଥିଲା ତାହାକୁ ଅନୁଧ୍ୟାନ କରିବା ପରେ କିଛି ତଥ୍ୟ ସାମ୍ନାକୁ ଆସିଛି ।

୭ ସେପ୍ଟେମ୍ୱରରେ ଇସ୍ରୋର ଚନ୍ଦ୍ରଯାନ-୨ର ରାତି ପ୍ରାୟ ୨ଟା ୧ ମିନିଟରେ ଲ୍ୟାଣ୍ଡର ବିକ୍ରମ ଠାରୁ ସଂପର୍କ ଛିନ୍ନ ହୋଇଥିଲା । ହେଲେ ପରଦାରେ ଆସୁଥିବା ଗ୍ରାଫକୁ ଗଭୀର ଅନୁଧ୍ୟାନ କରିବା ପରେ ଜଣାପଡିଛି ସଂପର୍କ ଚନ୍ଦ୍ରପୃଷ୍ଠରୁ ୨ ଦଶମିକ ଏକ କିଲୋମିଟର ନୁହଁ ସଂପର୍କ ମାତ୍ର ୩୩୫ ମିଟର ଉଚ୍ଚରୁ ହୋଇଯାଇଥିଲା । ଯେଉଁ ସମୟରେ ବିକ୍ରମ ଲ୍ୟାଣ୍ଡିଂ କରୁଥିଲା ତାର ସବିଶେଷ ରିପୋର୍ଟ ଇସ୍ରୋର ମିଶନ ଅପରେସନ୍ କମ୍ପଲେକ୍ସ ବା ଏମଓଏକ୍ସର ସ୍କ୍ରିନରେ ଗ୍ରାଫ୍ ଆକାରରେ ଆସୁଥିଲା । ଏହି ଗ୍ରାଫରେ ଖାସ୍ କରି ରହିଥିଲା ୩ଟି ରେଖା । ଯାହାର ମଝିରେ ଥିବା ରେଖାଟି ଥିଲା ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲାଣ୍ଡିଂର । ଏହା ନାଲି ରଙ୍ଗର ରହିଥିଲା, ଯାହାକୁ ବିକ୍ରମର ଗତିପଥକୁ ଜାଣିବାକୁ ଆଗରୁ ସ୍ଥିର କରିଥିଲେ । ତେବେ ବିକ୍ରମ ଲ୍ୟାଣ୍ଡର ବାସ୍ତବ ଗତିପଥ ନୀଳ ରେଖା ଆକାରରେ ପରଦାରେ ଆସୁଥିଲା । ଯାହା ନାଲି ରେଖା ଉପରେ ରହି ଆସୁଥିଲା ।

ଏହାକୁ ଗଭୀର ଭାବେ ଦେଖିଲେ ଜଣାପଡିବ ୪ ଦଶମିକ ୨ କିଲୋମିଟର ଉଚ୍ଚରେ ଲ୍ୟାଣ୍ଡର ବିକ୍ରମର ଗତିପଥରେ ସାମାନ୍ୟ ପରିବର୍ତନ ଆସିଥିଲା । କିନ୍ତୁ ପରେ ଏହା ଠିକ୍ ହୋଇଯାଇଥିଲା । ଏହାପରେ ୨ ଦଶମିକ ୧ କିଲୋମିଟର ଉଚ୍ଚରୁ ଲ୍ୟାଣ୍ଡର ବିକ୍ରମ ଅଲଗା ଗତିପଥରେ ଚାଲିଥିଲା । ସେତେବେଳେ ଚନ୍ଦ୍ର ଆଡକୁ ସେକେଣ୍ଡ ପ୍ରତି ୫୯ ମିଟର ବେଗରେ ଖସୁଥିଲା । ୪୦୦ ମିଟର ଉଚ୍ଚକୁ ଆସୁ ଆସୁ ଲ୍ୟାଣ୍ଡର ବିକ୍ରମର ଗତି ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଆବଶ୍ୟକ ବେଗକୁ ଖସି ଆସିଥିଲା । ଏହି ବେଗରେ ଲ୍ୟାଣ୍ଡର ହେଲିକପ୍ଟର ଭଳି ଉଡି ଅବତରଣ ସ୍ଥାନ ଚିହ୍ନଟ କରିଥିଲା ।

୪୦୦ ମିଟର ଉଚ୍ଚରୁ ୧୦ ମିଟର ଉଚ୍ଚ ଯାଏଁ ଲ୍ୟାଣ୍ଡର ସେକେଣ୍ଡ ପ୍ରତି ୫ ମିଟର ବେଗରେ ଖସିଥାନ୍ତା । ୧୦ରୁ ୬ ମିଟର ଉଚ୍ଚକୁ ସେକେଣ୍ଡ ପ୍ରତି ୧ କିମ୍ବା ୨ ମିଟର ବେଗରେ ଖସିଥାନ୍ତା ଲ୍ୟାଣ୍ଡର । ଏହାପରେ ଏହାର ଗତିକୁ ଜିରୋ କରାଯାଇଥାନ୍ତା । ଅର୍ଥାତ୍ ଲ୍ୟାଣ୍ଡିଂର ଶେଷ ୧୫ ମିନିଟରେ ଲ୍ୟାଣ୍ଡର ବେଗ ସେକେଣ୍ଡ ପ୍ରତି ୧୬୮୦ ମିଟରକୁ ହ୍ରାସ କରାଇ ଶୂନ କରାଯାଇଥାନ୍ତା ।

ତେବେ ସଫ୍ଟ ଲ୍ୟାଣ୍ଡିଂର ୧୩ ତମ ମିନିଟରେ ଏମଓଏକ୍ସର ସ୍କ୍ରିନରେ ଅଟକି ଯାଇଥିଲା ବିକ୍ରମର ଗ୍ରାଫ୍ । ଚନ୍ଦ୍ର ପୃଷ୍ଠରୁ ମାତ୍ର ୩୩୫ ମିଟର ଉଚ୍ଚରେ ନୀଳ ରଙ୍ଗର ଏକ ବିନ୍ଦୁ ହୋଇଗଲା ଓ ବିକ୍ରମ ଠାରୁ ସଂପର୍କ ଛିନ୍ନ ହୋଇଗଲା । ତେବେ ବୈଜ୍ଞାନିକ ଏବେ ବି ଉଦ୍ୟମ ଛାଡି ନାହାନ୍ତି । ବିକ୍ରମ ସହିତ ସଂପର୍କ ସ୍ଥାପନ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି ।