କନକ ବ୍ୟୁରୋ: ଏଣିକି ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଚଳିତବର୍ଷଠାରୁ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷାରେ ଛାତ୍ରଛାତ୍ରୀ ନୂଆ ପଦ୍ଧତିରେ ପରୀକ୍ଷା ଦେବେ। ଏଥିପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇସାରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଅନୁଷ୍ଠିତ ହେଉଥିବା ଷାଣ୍ମାସିକ ପରୀକ୍ଷାରେ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବା ସହ ଅଲଗା ସମୟରେ ପରୀକ୍ଷା କରାଯାଉଥିଲା। କେତେକ ଜିଲ୍ଲାସ୍ତରରେ ସହଜ ପ୍ରଶ୍ନପତ୍ର କରାଯାଉଥିବା ବେଳେ ଆଉ କିଛି ଜିଲ୍ଲାର ଛାତ୍ରଛାତ୍ରୀ କଷ୍ଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଥିଲେ। ତାହାକୁ ଦୃଷ୍ଟିରେ ରଖି ଏଥର ସାରା ରାଜ୍ୟ ପାଇଁ ଗୋଟିଏ ପ୍ରଶ୍ନପତ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶ୍ନପତ୍ର ପ୍ରସ୍ତୁତ ଲାଗି ଏସସିଇଆରଟି ଓ ଛାପିବା ପାଇଁ ଟିବିପି ଆଣ୍ଡ ଏମକୁ ଦାୟିତ୍ବ ଦିଆଯାଇଥିଲା। ସେହିଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉକ୍ତ ଦୁଇଟି ସଂସ୍ଥା ଇତିମଧ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଛପାଇବା କାର୍ଯ୍ୟ ଶେଷ କରିଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୬ ଲକ୍ଷ ଛାତ୍ରଛାତ୍ରୀ ଏଥର ଷାଣ୍ମାସିକ ପରୀକ୍ଷା ଦେବେ। ୮ଟି ଶ୍ରେଣୀ ପାଇଁ ୫୯ ବିଷୟରେ ମୋଟ ୩ କୋଟି ୬୦ ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ ୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ପ୍ରସ୍ତୁତ ସରିଛି। ଖୁବଶୀଘ୍ର ଜିଲ୍ଲାସ୍ତରକୁ ପଠାଯିବ। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନେ ଭୁବନେଶ୍ବରରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ। ପରୀକ୍ଷା କେଉଁ ସମୟରେ ହେବ ସେନେଇ ଦିନ ଧାର୍ଯ୍ୟ କରାଯାଇ ଜଣାଇ ଦିଆଯିବ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପ୍ରଶ୍ନପତ୍ରକୁ ଶିକ୍ଷକମାନେ ଭଲ ଭାବେ ପଢ଼ିବା ସହ ପିଲାଙ୍କୁ ବୁଝାଇବେ। ପ୍ରଶ୍ନପତ୍ରରେ ପ୍ରଶ୍ନ ଓ ଉତ୍ତର ଲେଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରଖାଯାଇଛି। ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଦେଢ଼ ଘଣ୍ଟା ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଦୁଇ ଘଣ୍ଟା ରହିଛି। ସରକାରୀ ନିୟମ ଅନୁଯାୟୀ ଚିଲଡ୍ରେନ୍ ଉଇଥ୍ ସ୍ପେସାଲ ନିଡ୍(ସିଡବ୍ଲୁଏସ୍ଏନ୍) ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସମୟ ଦିଆଯିବ। ପ୍ରଶ୍ନପତ୍ର ଯେପରି ଲିକ୍ ନ ହୁଏ ସେଥିପ୍ରତି ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବେ। ତେଲୁଗୁ, ବେଙ୍ଗଲି ଓ ଊର୍ଦ୍ଦୁ ଭାଷାରେ ପ୍ରଶ୍ନପତ୍ର ଜିଲ୍ଲାସ୍ତରରେ ପ୍ରସ୍ତୁତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଡିପିସିମାନଙ୍କୁ କୁହାଯିବ।
ପରୀକ୍ଷା ସରିବା କ୍ଷଣି ଜିଲ୍ଲାସ୍ତରରେ ଖାତା ମୂଲ୍ୟାୟନ ହେବ। ସବୁ ଛାତ୍ରଛାତ୍ରୀ ଯେପରି ପରୀକ୍ଷାରେ ଭାଗନେବେ ସେଦିଗରେ ଡିପିସିମାନେ ଗୁରୁତ୍ବ ଦେବାକୁ କୁହାଯାଇଛି। ମୂଲ୍ୟାୟନ ହୋଇଥିବା ଖାତାଗୁଡ଼ିକୁ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେ ନିଜ ସୁରକ୍ଷାରେ ରଖିବେ। ପରୀକ୍ଷା ଫଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଏଥିସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଜଣାଇ ଦିଆଯିବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/ludhiana-ludhiana-thursday-benches-primary-students-accommodated_b948a1da-9510-11e9-9207-029e3937e15a.jpg)
/kanak/media/post_attachments/wp-content/uploads/2019/10/ex-750x430-300x172.jpg)
/kanak/media/post_attachments/wp-content/uploads/2019/10/cbse_english__1_-300x169.jpeg)