ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଲା ପରଦା ! ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସୁବାଷ ବୋଷ

180

କନକ ବ୍ୟୁରୋ : ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଛି ପରଦା । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ । ପ୍ରଥମ ଥର ପାଇଁ ଲିଖିତ ଭାବେ ଏପରି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ନେତାଜୀଙ୍କ ମୃତ୍ୟୁ କିପରି ହେଲା ସେ ସଂପର୍କରେ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟର ଲିଖିତ ଜବାବ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

୧୯୪୫ ମସିହାରେ ତାଇୱାନରେ ହୋଇଥିବା ବିମାନ ଦୁର୍ଘଟଣାରେ ନେତାଜୀ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉଦଘାଟନ ପାଇଁ ଗଠିତ ଶାହନୱାଜ କମିଟି, ଜଷ୍ଟିସ ଜି ଡି ଖୋସଲା କମିଶନ ଓ ଜଷ୍ଟିସ ମୁଖାର୍ଜୀ କମିଶନଙ୍କ ରିପୋର୍ଟ ଆଧାରରେ ସରକାର ଏପରି ସିଦ୍ଧାନ୍ତରେ ପହଂଚିଥିବା କହିଛନ୍ତି । ତେବେ ସରକାରଙ୍କ ଏପରି ଜବାବରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନେତାଜୀଙ୍କ ସଂପର୍କୀୟ । ଏହା ସରକାରଙ୍କ ଦାୟିତ୍ୱହୀନ ପଦକ୍ଷେପ ବୋଲି କହିଛନ୍ତି ନେତାଜୀ ସୁଭାଷଙ୍କ ନାତି ତଥା ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଚନ୍ଦ୍ରା ବୋଷ । କୌଣସି ଠୋସ୍ ପ୍ରମାଣ ବିନା ନେତାଜୀଙ୍କ ମୃତ୍ୟୁ ସଂପର୍କରେ କେନ୍ଦ୍ର ସରକାର ଏପରି ସିଦ୍ଧାନ୍ତରେ ପହଂଚିବାକୁ ସେ ପ୍ରତିବାଦ କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ଚନ୍ଦ୍ରା ବୋଷ ।

ସେପଟେ ସୂଚନା ଅଧିକାରରେ ଏହି ତଥ୍ୟ ମାଗିଥିବା ଆବେଦନକାରୀ ମଧ୍ୟ ସରକାରଙ୍କ ଏପରି ଜବାବରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଯଦି ସରକାର ଏପରି ନିଷ୍ପତ୍ତିରେ ପହଂଚି ସାରିଛନ୍ତି ତେବେ ନେତାଜୀଙ୍କ ସଂପର୍କିତ ସବୁ ଗୋପନୀୟ ଫାଇଲକୁ ସାର୍ବଜନୀନ କରିବାର ଆବଶ୍ୟକତା କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।