ଆରବିଆଇ ବଦଳାଇଲା ନିୟମ! ଆସନ୍ତାକାଲି ଠାରୁ ଗ୍ରାହକଙ୍କୁ ୨୪ ଘଣ୍ଟା ମିଳିବ ବ୍ୟାଙ୍କର ଏହି ସେବା ।

1,016

ବ୍ୟାଙ୍କ ଗ୍ରାହକଙ୍କ ପାଇଁ  ବଡ ଖବର । ସୋମବାରରୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ  ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ଆହୁରି ସହଜ ହେବ । ଆରବିଆଇର ନୂଆ ନିୟମ ମୁତାବକ, ଆସନ୍ତାକାଲି ଠାରୁ ବ୍ୟାଙ୍କ ଗୁଡିକ ଟଙ୍କା କାରବାର ପାଇଁ ୨୪ ଘଣ୍ଟିଆ ଏନଇଏଫଟି (NEFT) ସୁବିଧା ଯୋଗାଇଦେବେ । ଏହାପୂର୍ବରୁ ଏନଇଏଫଟିରେ ଟଙ୍କା କାରବାର ପାଇଁ ନିର୍ଦ୍ଧାରିତ ସମୟ ମିଳୁଥିଲା । କିନ୍ତୁ ଏବେ ଯେକୌଣସି ଦିନ ଓ ଯେକୌଣସି ମୁହୂର୍ତ୍ତରେ ଏନଇଏଫଟି ଜରିଆରେ ଟଙ୍କା କାରବାର କରିପାରିବେ ଗ୍ରାହକ ।

ତେବେ ଟ୍ରାଞ୍ଜାକସନ ସମୟରେ ଯେପରି ଟଙ୍କାର ଅଭାବ ନ ରୁହେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ରଖିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଏନଇଏଫଟି ଜରିଆରେ କାରବାର ସମୟରେ ଗ୍ରାହକ ମାନେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।  ଏନଇଏଫଟି ଜରିଆରେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଟଙ୍କା ଟ୍ରାନ୍ସଫର କରାଯାଏ ।

ଏନଇଏଫଟି ପ୍ରକ୍ରିୟାରେ ଗୋଟିଏ ସମୟରେ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅନଲାଇନରେ ଟ୍ରାନ୍ସଫର କରିପାରିବେ । ଏବେ ବ୍ୟାଙ୍କର କାର୍ଯ୍ୟଦିବସ ଅନୁଯାୟୀ, ସକାଳ ୮ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଏନଇଏଫଟି ପ୍ରକ୍ରିୟାରେ ଟଙ୍କା କାରବାର କରାଯାଉଥିଲା । ସେହିଭଳି ପ୍ରଥମ ଓ ତୃତୀୟ ଶନିବାର ସକାଳ ୮ଟାରୁ ମଧ୍ୟାହ୍ନ ୧୨.୩୦ ଯାଏଁ ଏନଇଏଫଟି ଜରିଆରେ ଟ୍ରାଞ୍ଜାକସନ ହେଉଥିଲା । ଏହାଛଡା ଏହି କାରବାର ପାଇଁ ଗ୍ରାହକଙ୍କ ଠାରୁ କୌଣସି ପ୍ରକାର ଦେୟ ନ ନେବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ତେବେ ଆଇଏମପିଏସରେ କାରବାର ପାଇଁ ବ୍ୟାଙ୍କ ପକ୍ଷରୁ ଶୁଳ୍କ ନିଆଯାଉଛି । ଆଇଏମପିଏସ ଜରିଆରେ ଛୋଟ ଟ୍ରାଞ୍ଜାକସନ କାରବାର ହୋଇଥାଏ ।