ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ: ଆୟୋଜକ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହେଲା ଭାରତ ।

92

କନକ ବ୍ୟୁରୋ: ହିରୋଶିମାରେ ହିରୋ ହେଲା ଭାରତ । ଏଫ୍ଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ହକି ପ୍ରତିଯୋଗିତାର ଫାଇନାଲ୍ ଫାଇଟ୍ ଜିତି ଚାମ୍ପିୟନ ହୋଇଛି ଭାରତୀୟ ମହିଳା ଟିମ୍ । ହିରୋଶିମାରେ ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଖେଳର ତୃତୀୟ ମିନିଟରେ ଅଧିନାୟିକା ରାଣୀ ରାମପାଲ ଏକ ଗୋଲ ସ୍କୋର କରି ଫାଇନାଲର ଟାଇଟେଲ୍ ପାଇଁ ପ୍ରଥମ ପାଦ ପକାଇଥିଲେ । ଭଲ ଫର୍ମରେ ଥିବା ଗୁରଜିତ କୌର ପରେ ୪୫ତମ ଓ ୬୦ତମ ମିନିଟ୍ରେ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇବା ସହ ମ୍ୟାଚରେ ବିଜୟୀ କରାଇଥିଲେ।

ଅନ୍ୟପଟେ ଖେଳର ୧୧ତମ ମିନିଟରେ ଜାପାନର କାନନ ମୋରିଙ୍କ ଗୋଲ ମ୍ୟାଚକୁ ସମାନ ସ୍ତରକୁ ନେଇ ଆଣିଥିଲେ ମଧ୍ୟ ଏହାପରେ ଜାପାନ ଧରାଶାୟୀ ହୋଇଯାଇଥିଲା । ଜାପାନ ରିଦିମ ଫେରିବାକୁ ଚେଷ୍ଟା କରିଥିଲା। ଫ୍ଲାଙ୍କ ସହାୟତାରେ ଗୋଲ ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା । ମାତ୍ର ସୁଶିଲା ଚାନୁ ପୁଖ୍ରାମବାମ୍ ଏବଂ ଲିଲିମା ମିଞ୍ଜ୍ ଜାପାନିଜ ଆକ୍ରମଣକୁ ପ୍ରତିହତି କରିବାରେ ସଫଳ ରହିଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ ଖେଳକୁ ଅଧିକାଂଶ ସମୟ ନିଜ ନିୟନ୍ତ୍ରଣରେ ରଖିଥିବାଳେ ଗୁରଜିତ ଦୁଇଟି ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ରାଣୀ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଗୁରଜିତ ଟପ୍ ସ୍କୋରର ହୋଇପାରିଛନ୍ତି।