ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୮ ପୋଲିଂ କର୍ମଚାରୀ ।

236

କନକ ବ୍ୟୁରୋ : ନୟାଗଡ଼ରେ ମତଦାନ ବିଭ୍ରାଟ ଓ ଅନୁପସ୍ଥିତିକୁ ନେଇ ନୟାଗଡ଼ ଜିଲ୍ଲାପାଳ ଏନ. ଥିରୁମାଲା ନାଏକ ୮ଜଣ ପୋଲିଂ କର୍ମଚାରୀଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି । ଏଥିରେ ୨ ପ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଓ ୪ ପୋଲିଂ ଅଧିକାରୀ ସାମିଲ ଅଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ର ୨୧୦ ଓ ୨୨୨ ନମ୍ବର ବୁଥରେ ମତଦାନ ହୋଇ ପାରି ନ ଥିଲା । ଇଭିଏମ୍ ମେସିନ୍ ଅଦଳବଦଳରେ ତ୍ରୁଟି ପାଇଁ ୪ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ଅନ୍ୟ ଚାରିଜଣଙ୍କୁ ନୟାଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

ଅନ୍ୟପକ୍ଷରେ ଆଜି ମଧ୍ୟ ବରଗଡ଼ ଜିଲ୍ଲାପାଳ ୬ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ପ୍ରିଜାଇଡିଂ ଅଫିସର ଓ ୩ଜଣ ସେକ୍ଟର ଅଫିସରଙ୍କୁ ନିଲମ୍ବତ କରିଥିଲେ । ସେମାନେ ହେଲେ ୧୧୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ । ଏମାନଙ୍କ ବ୍ୟତୀତ ଅନ୍ୟ ୪ଜଣ ହେଲେ ୬୮ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ । ସେହିପରି ଦାୟିତ୍ୱରେ ଅବହେଳା କରିଥିବା ୨୩୫ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ବି ବରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।