କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ବାରିପଦା କାର୍ଯ୍ୟକ୍ରମରେ ସାମିଲ ହେବେନି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ପୁରୀ ଏସଏଚଜି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହା ପୂର୍ବରୁ ଗତ ଡିସେମ୍ବର ୨୪ ତାରିଖରେ ମୋଦିଙ୍କ ଅରଗୁଳ ସରକାରୀ କାର୍ଯ୍ୟକ୍ରମରେ ନବୀନ ସାମିଲ ହୋଇଥିଲେ । ସେଠାରେ ମୋଦିଙ୍କ ସହ ଗୋଟିଏ ମଞ୍ଚ ସେୟାର କରିଥିଲେ ନବୀନ । ଏପରିକି ମଞ୍ଚ ଉପରେ ବେଶ କିଛି ସମୟ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅନେକ ରାଜନୈତିକ ଚର୍ଚ୍ଚା ହୋଇଥିଲା ।
କିନ୍ତୁ ଅରଗୁଳ କାର୍ଯ୍ୟକ୍ରମ ପରେ ଖୋର୍ଦ୍ଧା ସଭାରେ ନାଁ ନନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି । ୯ ପ୍ରଶ୍ନ ପଚାରି ସରକାରକୁ କାଠଗଡାରେ ଛିଡା କରିଥିଲେ ମୋଦି । ତେବେ ଏହାର ଗୋଟିଏ ଦିନ ପରେ ବିଜେଡିର ପ୍ରତିଷ୍ଠା ଦିବସରେ ଆଟାକିଙ୍ଗ ମୁଡକୁ ଆସି ଯାଇଥିଲେ ନବୀନ । ପ୍ରତିଷ୍ଠା ଦିବସରେ ନବୀନ ମଧ୍ୟ କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିବା ସହ ଏହାର ଜବାବ ଓଡିଶା ମାଗୁଛି ବୋଲି କହିଥିଲେ ।ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ସେବେଠାରୁ ବିଜେଡି ଓ ବିଜେପି ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଥିଲା । ଆଉ ଏସବୁ ଭିତରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ନବୀନ ସାମିଲ ନ ହେବାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି ।