ରାଜ୍ୟ ରାଜନୀତି ତଥା ଓଡିଶାର ଭବିଷ୍ୟତ ଏବେ ଏକ ବିପଦଜନକ ସମୟ ଦେଇ ଗତି କରୁଛି । ଯେତେବେଳେ ଏକ ଶକ୍ତ ବିରୋଧୀ ଦଳ ଗଣତନ୍ତ୍ର ପାଇଁ ଆଶୀର୍ବାଦ ବୋଲି କୁହାଯାଏ, ଠିକ ସେତିକି ବେଳେ ରାଜ୍ୟ ପାଇଁ କିନ୍ତୁ ଏହା ଅଭିଶାପ ପାଲଟିଛି । ରାଜନୈତିକ ଦଳଙ୍କ ଭିତରେ ପ୍ରତିଯୋଗୀତା, ପ୍ରଦେଶକୁ ବିକାଶର ରାସ୍ତାରେ ନେଇଯାଏ ବୋଲି ସମସ୍ତଙ୍କର ଏକ ଧାରଣା ଥିଲା, ହେଲେ ସାମ୍ପ୍ରତିକ ପରିସ୍ଥିତି କିନ୍ତୁ ଆମକୁ ଭାବିବାକୁ ବାଧ୍ୟ କରୁଛି, ଆମେ କେଉଁ ରାସ୍ତାରେ ଯାଉଛେ? ଆମର ଲକ୍ଷ୍ୟ କଣ? ନିର୍ବାଚନ ଜିତିବା ଯଦି ଏକ ମାତ୍ର କାର୍ଯ୍ୟ, ତେବେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଠିକ୍ ରାସ୍ତାରେ ଯାଉଛନ୍ତି । ମାତ୍ର ରାଜ୍ୟର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଯଦି ରାଜନୀତିର ଇମାରତ୍ ଗଢାଯାଏ, ତେବେ ଏହାକୁ କେହି ବରଦାସ୍ତ କରିବେ ନାହିଁ । ସାଢେ ଚାରି କୋଟି ଲୋକ ସବୁବେଳେ ରାଜନୀତି ଚାହାନ୍ତି ନାହିଁ । ପ୍ରଗତି, ନିଯୁକ୍ତି ଆଉ ସଶକ୍ତ ଓଡିଶା ଗଠନ ନେଇ ଅନେକ ସଂଗଠନ ଆଉ ବ୍ୟକ୍ତିବିଶେଷ ଦିନରାତି କାମ କରିଥାନ୍ତି । ଶସ୍ତା ରାଜନୀତି ଆଉ ଭୋଟ ଗଣିତ ଭିତରେ ପଶିବାକୁ ଚାହୁଁନଥିବା ବ୍ୟକ୍ତିବିଶେଷ ଚାହାନ୍ତି, ପଛୁଆ ଜିଲ୍ଲାର ବିକାଶ ଆଉ ମହାନଦୀରେ ପାଣି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଓ ଚାଷୀକୁ ତାର ହକ୍ । କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ଏବଂ ଶୋଷଣ ବିହୀଣ ସମାଜ । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ସହ ନିଯୁକ୍ତି । ଏହା ଚିନ୍ତା କରିବା କଣ ରାଜନୈତିକ ଦଳଙ୍କର କାମ ନୁହେଁ? ଏସବୁ ସ୍ୱପ୍ନ ଦେଖୁଥିବା ଲୋକ କଣ କିଛି ଭୁଲ କରିଛନ୍ତି? ରାଜ୍ୟରେ କଣ ଖାଲି ମିଶନ ୧୨୦ର ସଂକଳ୍ପ ଆଉ ବିଜୁ ବାବୁଙ୍କ ସ୍ୱପ୍ନ ଭିତରେ ଲଢେଇ ହେବ? ଗତ କିଛି ଦିନ ଭିତରେ ରାଜ୍ୟ ରାଜନୀତି ଯେଭଳି କଡ ଲେଉଟାଇଛି, ତାହା ଓଡିଶା ପାଇଁ ଶୁଭ ଲକ୍ଷଣ ସଦୃଶ ହେଉନି।

naveen vs dharmendra

ପଛୁଆ ଜିଲ୍ଲାକୁ ନେଇ ଯେଉଁ ଆରୋପ ପ୍ରତ୍ୟାରୋପ ଚାଲିଛି, ସେଥିରେ ମୁଳ ପ୍ରଶ୍ନର ଉତ୍ତର ଦେବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି, ମାଲକାନଗିରିର ଉନ୍ନତି ଆଜିର ଦିନରେ ଆବଶ୍ୟକ କି ନାହିଁ? ଯଦି ବିକାଶ ଜରୁରୀ, ତେବେ ମିଳିତ ଭାବେ କାର୍ଯ୍ୟ କରିବାରେ ଅସୁବିଧା କେଉଁଠି? ଉଭୟ ପକ୍ଷ ଯଦି ନିଜ ଜିଦରେ ଅଡି ବସନ୍ତି ତେବେ କାହାର କ୍ଷତି ଆଉ କାହାର ଲାଭ ହେବ? ହୁଏତ ରାଜନୈତିକ ଫାଇଦା କାହାକୁ ମିଳିପାରେ, କିନ୍ତୁ ବିଛିନ୍ନାଂଚଳରେ ରହୁଥିବା ଲୋକଟିଏ ପାଇବ କଣ? ପାଂଚ ବର୍ଷରେ ଥରେ ତ ସେ ନେତାଙ୍କର ମୁହଁ ଦେଖିବାକୁ ପାଏ, ଆଉ ସେଥିରେ ଯଦି ତାର ଭାଗ୍ୟ ସୁଧାରିବାକୁ ଗୋଟିଏ ଅବସର ମିଳୁଛି, ତେବେ ଏଥିରେ ରାଜନୀତି କାହିଁକି?

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଯେ ଆଉ ପଛୁଆ ଜିଲ୍ଲା ନଥିବ, ଏହାବି ଭାବିବା ଭୁଲ୍ । ନ୍ୟୁ ଇଣ୍ଡିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶଦ୍ଦର ଅଭିଧାନ ଭିତରେ ଆଉ ଏକ ଶଦ୍ଦ, ଯାହା ଶୁଣିବାକୁ ବେଶ ଭଲ ଲାଗେ । ଦେଶର ୧୧୫ ପଛୁଆ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତି କରି ବିକାଶ କାର୍ଯ୍ୟର ତଦାରଖ କରାଯିବ, ଫଳରେ ଆଗାମୀ କେଇବର୍ଷ ଭିତରେ ଏସବୁ ଜିଲ୍ଲା ପ୍ରଗତି ପଥରେ ଆଗେଇ ଚାଲିବେ । ଶୁଣିବାକୁ ଆଉ ବୁଝିବାକୁ ବେଶ ଭଲ ଲାଗୁଥିବା ଏହି ଚିନ୍ତାଧାରାର ବାସ୍ତବତାକୁ ନେଇ ବଡ ସନ୍ଦେହ ରହିଛି । ହେଲେ ବଡ କଥା ହେଉଛି, ଏହାକୁ ପ୍ରଥମ ପାହାଚ ଭାବି ଆମେ ପାଦ ରଖିପାରିବା । କିନ୍ତୁ ପାହାଚ ଚଢିବା ବଦଳରେ ଆମେ ପାଦୁଟିଏ ପଛକୁ ପକାଇବାକୁ ଆଗଭର, କାହିଁକି ନା ଏଥିରେ ଆଂଚଳିକ ଦଳର ଅସ୍ମିତା ରହିଛି । କେନ୍ଦ୍ର ନିଜ କ୍ଷମତା ବାହାରକୁ ଯାଇ କାମ କରୁଛି । ରାଜ୍ୟର ଅଧିକାର ସଂକୁଚିତ ହେଉଛି । ଏଭଳି ଭାବନା ଆଣି ଆମେ କଣ ପ୍ରମାଣିତ କରିବାକୁ ଚାହୁଁଛେ? ଆଂଚଳିକ ଦଳ ଭାବେ ବିଜୁ ଜନତା ଦଳର ସଂପୁର୍ଣ୍ଣ ଅଧିକାର ଅଛି, କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିବାକୁ । ହେଲେ ଯଦି ବିରୋଧ ପଛରେ ଏକ ବୃହତ୍ତର ସ୍ୱାର୍ଥ ବଦଳରେ ସଂକୀର୍ଣ୍ଣ ରାଜନୀତି ରହୁଛି, ତେବେ ଇତିହାସର ପୃଷ୍ଠାରେ ଏହାକୁ କଳଙ୍କିତ ଅଧ୍ୟାୟ ଭାବେ ଆକଳନ କରାଯିବ ।


ନୀତି ଆୟୋଗ ସାରା ଦେଶ ପାଇଁ ଏକ ମାପଦଣ୍ଡ ନିର୍ଦ୍ଧାରଣ କରି ୧୧୫ ଜିଲ୍ଲାକୁ ଚିହ୍ନଟ କରିଦେଲା । ଯେଉଁଥିରେ ଅଭାବ ଅନଟନରେ ରହୁଥିବା ଲୋକ ତଥା ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୁମିକୁ ଗୁରୁତ୍ୱ ଦେଇ ବିଭିନ୍ନ ବର୍ଗରେ ୧୧୫ ଜିଲ୍ଲା ଚିହ୍ନଟ ହେଲା । ହେଲେ ନୀତି ଆୟୋଗ କଣ ପୁରା ଦେଶର ସ୍ଥିତିକୁ ଗୋଟିଏ ଦୃଷ୍ଟିକୋଣରେ ଦେଖିବା ଠିକ ହୋଇଛି । ସୋଭିଏତ୍ ମଡେଲ୍ ଯୋଜନାର ପ୍ରତୀକ ଯୋଜନା କମିଶନକୁ ହଟାଇ ନୀତି ଆୟୋଗ ଗଠନ କରାଗଲା, ହେଲେ ତାର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ନେଇ ଏବେବି ସନ୍ଦେହ ରହିଛି । ପୁରା ଦେଶ ପାଇଁ ଏହି ସଂସ୍ଥା ଏକ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟ କରୁଛି । ମାତ୍ର ଏହି ଚିନ୍ତାଧାରା କିନ୍ତୁ ବଡ ଧରଣର କଳି ମଂଜି ପୋତିଦେଉଛି । ନୀତି ଆୟୋଗର ଆକ୍ସନ ପ୍ଲାନକୁ କିଛି ରାଜ୍ୟ ବିରୋଧ କରୁଛନ୍ତି । ଏହାପଛରେ ହୁଏତ ରାଜନୈତିକ ଉଦ୍ଦେଶ୍ୟ ରହିଥାଇପାରେ । କେରଳ, ପଶ୍ଚିମବଙ୍ଗ ଆଉ ଓଡିଶା ଭଳି ରାଜ୍ୟରୁ ବିରୋଧର ସ୍ୱର ଉଠିଛି । ଏସବୁ ରାଜ୍ୟରେ ବିଜେପି ଓ ରାଜ୍ୟରେ ଶାସିତ ଦଳ ଭିତରେ ଚାଲିଛି ବଳ କଷାକଷି । କିନ୍ତୁ ଏହାକୁ ଆୟୁଧ କରି ରାଜ୍ୟବାସୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ବିଲକୁଲ ଠିକ ହେଉନି ।

ରାଜ୍ୟ ସରକାର ଯଦି ନୀତି ଆୟୋଗ ସହ ଏମଓୟୁ କରିବାକୁ ପ୍ରସ୍ତୁତ ନଥିଲେ, ବା ଭବୁଥିଲେ କେନ୍ଦ୍ର ଅଯଥାରେ ରାଜ୍ୟର ଅଧିକାରରେ ହସ୍ତକ୍ଷେପ କରୁଛି ତେବେ ବିରୋଧ କରି ଠିକ୍ କରିଛନ୍ତି । ହେଲେ ଯଦି ଜିଲ୍ଲାର ଚିହ୍ନଟ ଉପରେ ଆପତ୍ତି ଉଠାଇ ବୈଠକରେ ସାମିଲ ହୋଇନାହାନ୍ତି, ତେବେ ଏହାକୁ କଣ କୁହାଯିବ? କାରଣ, ନୀତି ଆୟୋଗ ରାଜ୍ୟ ସରକାରଙ୍କ ଠାରୁ ପରାମର୍ଶ ଲୋଡିଥିଲେ, ଯଦି ତାଲିକାରେ କିଛି ପରିବର୍ତ୍ତନର ଆବଶ୍ୟକତା ରହୁଛି । କେନ୍ଦ୍ର ରାଜ୍ୟର ଏହି ଟଣାଓଟରା ଭିତରେ କିନ୍ତୁ ରାଜ୍ୟର ପଛୁଆ ଜିଲ୍ଲାର ଭାଗ୍ୟ ଆଉ ଭବିଷ୍ୟତରେ କୈଣସି ପ୍ରକାରର ପରିବର୍ତ୍ତନ ଆସିପାରୁନି । ନୀତି ଆୟୋଗର ଏହି ପ୍ରଭାରୀ ଅଫିସର ନିଯୁକ୍ତି ନେଇ ଏକ ବଡ ଧରଣର ଦ୍ୱନ୍ଦ୍ୱ ସାମ୍ନାକୁ ଆସୁଛି । ଗୋଟିଏ ଜିଲ୍ଲାର ଜଣେ ଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି । ତାଙ୍କ ଉପରେ ଆରଡିସି, ବିଭିନ୍ନ ବିଭାଗର ଅଧିକାରୀ, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ । ସର୍ବୋପରି ରାଜ୍ୟ ସରକାର ମଧ୍ୟ ବରିଷ୍ଠ ଅଫିସରମାନଙ୍କୁ ପଛୁଆ ଅଂଚଳର ଦାୟିତ୍ୱ ଦେଇଛନ୍ତି । ଅଧିକାରୀଙ୍କୁ କୁହାଯାଇଛି, ମାସର ପ୍ରଥମ ସପ୍ତାହ କ୍ଷେତ୍ର ପରିଦର୍ଶନରେ ଯାଅ । ଯଦିଓ ଏହାର କାର୍ଯ୍ୟକାରୀତା ନେଇ ବଡ ଧରଣର ସନ୍ଦେହ ରହିଛି ଆଉ ଅତୀତର କାର୍ଯ୍ୟଧାରା ଦେଖିଲେ ଏହା କେତେ ବାସ୍ତବତାର ସହ ସହ କାର୍ଯ୍ୟକାରୀ ହୋଇପାରିବ, ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ହେଲେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଏକ ବିବାଦ ତିଆରି କରିବାର ଯଥେଷ୍ଟ ସମ୍ଭବନା ରହୁଛି ।


ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସିଧାସଳଖ ଅଫିସର ପଠାଇ ରାଜ୍ୟର ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ଓ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଯଦି ନିର୍ଦ୍ଦେଶ ଦିଅନ୍ତି, ତେବେ ଏହାର ବାର୍ତ୍ତା କଣ ଯିବ । ବିକାଶ ଯଦି ଉଦ୍ଦେଶ୍ୟ ଥାନ୍ତା ତେବେ ଏତେ ବିତର୍କ ହୁଅନ୍ତାନି, ଅସଲ ଉଦ୍ଦେଶ୍ୟ ଏହା ପଛରେ ଅଛି ରାଜନୀତିର । କାରଣ, ଯଦି ୮ଟି ଜିଲ୍ଲାକୁ ମୋଦିଙ୍କ ସଚିବ ଆସି ସିଧାସଳଖ ସମୀକ୍ଷା କରିବେ ଆଉ ବିକାଶର ରୋଡମ୍ୟାପ୍ ତିଆରି କରିବେ ତେବେ ଲୋକଙ୍କ ଭିତରେ କେନ୍ଦ୍ର ସରକାର ପାଇଁ ଏକ ଅନୁକୁଳ ମନୋଭାବ ତିଆରି ହୋଇପାରେ । ଆଉ ଏସବୁ ଜିଲ୍ଲାରେ ଆସୁଥିବା ସଂସଦୀୟ କ୍ଷେତ୍ର ଆଉ ବିଧାନସଭା କ୍ଷେତ୍ର ରାଜନୀତିକୁ ଏହା ପ୍ରଭାବିତ କରିବ । ଯାହା ପରିକ୍ଷରେ ଏଠି ଶାସନ କରୁଥିବା ଆଂଚଳିକ ଦଳକୁ ଏକ ଅଡୁଆ ଜନକ ସ୍ଥିତିରେ ପକାଇପାରେ । ଏହା କେବଳ ଏକ ଆକଳନ, କିନ୍ତୁ ଏହା ପଛରେ ଯେ କିଛି ଆଧାର ନାହିଁ, ଏହାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ । ନିର୍ବାଚନ ଯେତେ ପାଖେଇ ଆସିବ, ନେତାଙ୍କ ଭିତରେ ପ୍ରତିଯୋଗୀତା ସେତେ ତୀବ୍ର ହେବ । ହେଲେ ଯଦି ଏହା ରାଜ୍ୟକୁ ଫାଇଦା ଦେବା ବଦଳରେ ଅସୁବିଧାରେ ପକାଇବ, ତେବେ ଭୋଟର ଏହାର ଜବାବ୍ ଦେବାକୁ ପଛାଇବେ ନାହିଁ । ହୁଏତ ଉଭୟ ରାଜନୈତିକ ଦଳଙ୍କ ଠାରୁ ଅତିଷ୍ଠ ହୋଇ ନୁଆ ଏକ ଚିନ୍ତାଧାରା ସହ ଆଉ ଏକ ଆଂଚଳିକ ରାଜନୈତିକ ଶକ୍ତି ପଛରେ ଲୋକମାନେ ଦୃଢ ଭାବେ ଠିଆ ହେବାକୁ ଆଗ୍ରହ ପ୍ରକାଶ କରିବେ ।