ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୮ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ! ୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା ।

161

କନକ ବ୍ୟୁରୋ : ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୮ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ ପଟ୍ଟନାୟକ । ସରକାରକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଦିଲ୍ଲୀ ଗସ୍ତରେ ଯିବା ସହ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଗଠନ ପରେ ପ୍ରଥମ ଥର ପାଇଁ ମୋଦି ଓ ନବୀନଙ୍କ ମଧ୍ୟରେ ଭେଟଘାଟ ହେବାକୁ ଯାଉଛି । ଏହି ଭେଟଘାଟ ଉପରେ ସମସ୍ତଙ୍କର ନଜର ରହିଛି ।

ଏହି ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାସକରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ମହାନଦୀ ପ୍ରସଙ୍ଗ, ରେଲୱେରେ ରାଜ୍ୟକୁ ଅଧିକ ଅନୁଦାନ, ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଠାଇପାରନ୍ତି ନବୀନ ।

ଏହାପୂର୍ବରୁ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାକୁ ଏକ ସାକ୍ଷାତକାରରେ କହିଥିଲେ ନବୀନ । ସେହିଭଳି ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ବାତ୍ୟା ଫୋନି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ । ଆଉ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସମନ୍ୱୟକୁ ବେଶ ପ୍ରଂଶସା କରିଥିଲେ ।