ନବୀନଙ୍କ ଟାର୍ଗେଟରେ ବିଜେପି ! କହିଲେ, ଫମ୍ପା ମାଠିଆର ଶବ୍ଦ ବେଶି, ଜାଣନ୍ତୁ କାହିଁକି ଏଭଳି କହିଲେ ବିଜେଡି ସୁପ୍ରିମୋ

42

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ବିଜେପି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେପିକୁ କାଠଗଡ଼ାରେ ଠିଆ କରିଛନ୍ତି ନବୀନ ପଟ୍ଟନାୟକ । ଫମ୍ପା ମାଠିଆର ଶବ୍ଦ ବେଶି କହି-ପରୋକ୍ଷରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିିଜେଡି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ଏବଂ ବିଜେଡି ସାଢେ ୪ କୋଟି ଓଡିଆଙ୍କ ଭରସାର ପ୍ରତୀକ ବୋଲି ଜନସଂପର୍କ ଯାତ୍ରାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନାର ଜବାବ ରଖିଛି ବିଜେପି । କେବଳ ରାଜନୀତି କରିବାକୁ ୨୦୦୯ରୁ ନବୀନ ଏହି ପ୍ରସଙ୍ଗ ଉଠାଇ ଆସୁଥିବା ପାଲଟା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।

ପ୍ରତିବର୍ଷ ଭଳି ଗାନ୍ଧି ଜୟନ୍ତୀରୁ ମାସିକିଆ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବେଶ ଆକ୍ରମଣାତ୍ମକ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପିର ନାଁ ନନେଇ ଫମ୍ପା ମାଠିଆ ସହ ତୁଳନା କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ କହିଛନ୍ତି ଫମ୍ପା ମାଠିଆର ଶବ୍ଦ ବେଶି । ୨୦୧୪ରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଏକ ନମ୍ବରରେ ଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା । ସେହି ପ୍ରତିଶ୍ରୁତି ପୂରଣ ହୋଇନାହିଁ ଏବଂ ଓଡିଶାବାସୀ ସ୍ୱତନ୍ତ୍ର ପାହ୍ୟାକୁ ଅନାଇ ବସିଥିବା କହି ବିଜେପିକୁ କାଠଗଡାରେ ଛିଡା କରାଇଛନ୍ତି ନବୀନ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବାକୁ ବିଜେଡିର ଜନ ସଂପର୍କ ପଦ ଯାତ୍ରା । ଆଉ ଏହି ଅବସରରେ ନବୀନ କହିଛନ୍ତି
– ସାଢେ ୪ କୋଟି ଓଡିଆଙ୍କ ଭରସାର ପ୍ରତିକ ବିଜେଡି ସରକାର
– ବିଜେଡି ସବୁବେଳେ ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି
– ସମସ୍ତେ ଜାଣିଛନ୍ତି କିଏ ପ୍ରତିଶ୍ରୁତି ପାଳନ କରୁଛି ଓ କିଏ କରୁନାହିଁ
– ବିଜେଡି ସବୁବେଳେ ଦେଇଆସିଥିବା ପ୍ରତିଶ୍ରୁତି ପୂରଣ କରୁଛି
– ତାଙ୍କ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ

ନିଜ ଅଭିଭାଷଣରେ ଦଳର ନେତା ଓ କର୍ମୀଙ୍କୁ ନବୀନ ସ୍ପଷ୍ଟ କରିଦେଇଛନ୍ତି ଯେ, ଚତୁର୍ଥ ପାଳିର ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଅ ଓ କେନ୍ଦ୍ର ସରକାରଙ୍କ ଛଳନାର ମୁଖା ଖୋଲିଦିଅ । ବିଜେଡି ମୁଖିଆଙ୍କ ତେରେଛା ବାଣ ପରେ ଚିହିଁକି ଉଠିଛି ବିଜେପି । ଓଡିଶା ସ୍ୱତନ୍ତ୍ର ରାଜ୍ୟ ହୋଇପାରିବ ନାହିଁ ବୋଲି ଜାଣି ମଧ୍ୟ କେବଳ ରାଜନୀତି କରିବାକୁ ୨୦୦୯ରୁ ନବୀନ ଏହି ପ୍ରସଙ୍ଗ ଉଠାଇ ଆସୁଥିବା ପାଲଟା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।

ଗାନ୍ଧି ଜୟନ୍ତୀରେ ଭୁବନେଶ୍ୱର ଝରଣା ବସ୍ତିରୁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା । ଆଗାମୀ ନଭମ୍ବେର ୨ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ ଯୋଡିବାକୁ ପ୍ରୟାସ କରିବ ଦଳ । ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଭଳି ଏକାଧିକ ଯୋଜନାକୁ ବିଜ୍ଞାପିତ କରିବେ ନେତା ଓ କର୍ମୀ । ଯାହାର ଆଗାମୀ ନିର୍ବାଚନରେ ଏକ ବଡ ପ୍ରଭାବ ନେଇ ଅନୁମାନ କରାଯାଉଛି ।