ମହାନଦୀ ବିବାଦ : କଣ୍ଟ ପୂରିଲା ମାତ୍ର ଗଠନ ହେଲାନି ଟ୍ରିବ୍ୟୁନାଲ୍

38

କନକ ବ୍ୟୁରୋ: ନଭେମ୍ବର ୧୯ ତାରିଖର କଣ୍ଟ ସରିଲା। କିନ୍ତୁ ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ହୋଇପାରିଲାନି । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍ ଗଠନ ପାଇଁ କହିଥିବା ସତ୍ତ୍ୱେ ତାହା କାର୍ଯ୍ୟକାରୀ କଲେ ନାହିଁ । ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର । ତେବେ ଉଭୟ ଆଇନଜୀବୀମାନଙ୍କ ସହ ବିଚାରବିମର୍ଶ ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

୨୦୧୬ ନଭେମ୍ବର ୧୯ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ରାଜ୍ୟ ସରକାର। ନିୟମ ଅନୁଯାୟୀ ଆବେଦନ କରିବାର ବର୍ଷକ ଭିତରେ ଟ୍ରିବ୍ୟୁନାଲ୍ ଗଠନ ହେବା କଥା । ସୁପ୍ରିମକୋର୍ଟରେ ମହାନଦୀ ପ୍ରସଙ୍ଗରେ ମାମଲା ଚାଲିଥିଲା ବେଳେ ଗତ ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍ ଗଠନ ହେବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟ ନଭେମ୍ବର ୧୯ ତାରିଖ ପୂର୍ବରୁ ଟ୍ରିବ୍ୟୁନାଲ୍ ଗଠନ ନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଅବଗତ କରାଇଥିଲେ ।

କିନ୍ତୁ ସମୟସୀମା ପୂରିଯାଇଥିଲେ ବି ଟ୍ରିବ୍ୟୁନାଲ୍ ଗଠନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେନ୍ଦ୍ର ସରକାର ଏ ନେଇ ବି ସମ୍ପୂର୍ଣ୍ଣ ନିରବ । ଜଳସମ୍ପଦ ମନ୍ତ୍ରଣାଳୟର କେହି ମୁହଁ ଫିଟାଉ ନାହାନ୍ତି କି ବିକଳ୍ପ ବ୍ୟବସ୍ଥା ନେଇ ବି ସୂଚନା ଦେଉ ନାହାନ୍ତି । ଟ୍ରିବ୍ୟୁନାଲ୍ ଗଠନ ପାଇଁ ରାଜ୍ୟ ପକ୍ଷରୁ ବର୍ଷକ ଭିତରେ ବିଭିନ୍ନ ସମୟରେ କେନ୍ଦ୍ରକୁ ଚିଠି ଦିଆଯାଇଛି । ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପୂର୍ବରୁ ଚିଠି ଦେଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । କିନ୍ତୁ କେନ୍ଦ୍ରରୁ ଏ ନେଇ କୌଣସି ଉତ୍ତର ମିଳି ନାହିଁ । ଆସନ୍ତା ଡିସେମ୍ବର ମାସରେ ସୁପ୍ରିମକୋର୍ଟରେ ମହାନଦୀ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ଆମ ନୂଆଦିଲ୍ଲୀ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍ ଗଠନ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ବିସ୍ତତ ସତ୍ୟପାଠ ଦାଖଲ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଏ ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ମନା କରିଛନ୍ତି ମନ୍ତ୍ରଣାଳୟ ଅଧିକାରୀ ।

ରାଜ୍ୟ ସରକାର ବି ଏ ନେଇ ବରିଷ୍ଠ ଆଇନଜୀବୀମାନଙ୍କ ସହ ବିଚାରବିମର୍ଶ ଚଳାଇଛନ୍ତି । ଆଇନଗତ ଭାବେ କେନ୍ଦ୍ର ସରକାରଙ୍କୁ କିପରି ଅକଳରେ ପକାଇବେ, ସେ ନେଇ ଯୋଜନା ପ୍ରସ୍ତୁତି ଚାଲିଛି । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପି.କେ. ଜେନା କହିଛନ୍ତି, ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ୍ ଗଠନ ନେଇ କୁହାଯାଇଥିଲା। କିନ୍ତୁ ତାହା ହେଲା ନାହିଁ। ପରବର୍ତ୍ତୀ ଶୁଣାଣି ସମୟରେ ନିଶ୍ଚିତ ଭାବେ ଓଡ଼ିଶା ପକ୍ଷରୁ ଏହି ପ୍ରସଙ୍ଗ ଉଠାଯିବ । ଆଇନଜୀବୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ଅପର ପକ୍ଷରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପୁରୁଣା କଥା ଦୋହରାଇଛନ୍ତି । କିନ୍ତୁ ଟ୍ରିବ୍ୟୁନାଲ୍ ଗଠନ ସମ୍ପର୍କରେ ସେ ସିଧାସଳଖ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ସେ କହିଛନ୍ତି, ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ଏକ ଆଇନଗତ ପ୍ରକ୍ରିୟା । ତେଣୁ ଉଭୟ ଛତିଶଗଡ଼ ଓ ଓଡ଼ିଶା ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କଲେ ଭଲ ।

ଖବର ମିଳିଛି ଯେ, ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ପରିବର୍ତେ ସବୁ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ୍ ଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତ ମାର୍ଚ୍ଚ ମାସରେ ଏ ସଂକ୍ରାନ୍ତୀୟ ବିଲ୍ ବି ଲୋକସଭାରେ ଆଗତ ହୋଇଥିଲା । ଏହାପରେ ବିଲ୍କୁ ଅଧିକ ଆଲୋଚନା ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଥିଲା । ଏହି କମିଟି ଗତ ମୌସୁମୀ ଅଧିବେଶନରେ ରିପୋର୍ଟ ଦେଇସାରିଛି । ଆସନ୍ତା ଶୀତ ଅଧିବେଶନରେ ବିଲକୁ ଗୃହୀତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯଦି ଏପରି ହୁଏ, ତେବେ ସମ୍ଭବତଃ କେନ୍ଦ୍ର ସରକାର କେବଳ ମହାନଦୀ ବିବାଦ ପାଇଁ ଟ୍ରିବ୍ୟୁନାଲ୍ ଗଠନ କରି ନ ପାରନ୍ତି । ତେବେ ଏ ସମ୍ପର୍କରେ କେନ୍ଦ୍ର କିଛି ସ୍ପଷ୍ଟ କରୁ ନାହିଁ ।