ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’ । ଜନସଭାରେ ବିଜେପିକୁ କଲେ ଟାର୍ଗେଟ, କହିଲେ ଚିଲିକାକୁ ବିକ୍ରି କରିବାକୁ ବିଜେପି କରୁଥିଲା ଉଦ୍ୟମ

150

କନକ ବ୍ୟୁରୋ : ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଆଜି ନୟାଗଡର ରଣପୁର ଏବଂ ଚିଲିକାର ନିର୍ବାଚନୀ ସଭାରେ ସିଧା ସିଧା ବିଜେପିକୁ ଟାର୍ଗଟ କରିଛନ୍ତି ନବୀନ । କହିଛନ୍ତି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା କେନ୍ଦ୍ର । ବିଜେଡି ଏହାକୁ ଅଟକାଇଛି । ଏପରିକି କାଳିଆ ଯୋଜନାକୁ ଅଟକାଇବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛି । ଏପରି କରାଇ ଦିଆଯିବନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନୟାଗଡ ରଣପୁର ଓ ଚିଲିକାରେ ନିର୍ବାଚନୀ ସଭାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ରୋଡ ସୋ ଆରମ୍ଭ କରିଥିଲେ । ସାତପଡାରୁ ନବୀନଙ୍କ ଏହି ରୋଡ ସୋ ଆରମ୍ଭ ହୋଇ ବ୍ରହ୍ମଗିରିରେ ପହଞ୍ଚିଥିଲା । ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ରୋଡ ସୋ କରି ଭୁବନେଶ୍ୱରରେ ପହଂଚିଥିଲେ ନବୀନ ।

ନବୀନଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଖି ଆଗରେ ରଖି ରୋଡ ସୋରେ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ସାତପଡାରୁ ବାହାରିଥିଲା ନବୀନଙ୍କ ରୋଡ ସୋ । ସାତପଡାରୁ ବାହାରି ବ୍ରହ୍ମଗିରିରେ ପହଂଚିବାପରେ ବିଜେଡି ସୁପ୍ରିମୋ ହାଇଟେକ ବସରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଜନତାଙ୍କୁ ଭୋଟ ମାଗିଛନ୍ତି । ଏହି ସମୟରେ ନବୀନଙ୍କ ଗୋଟିଏ ଝଲକ ପାଇବା ପାଇଁ ବିଭିନ୍ନ ଛକ ସ୍ଥାନମାନଙ୍କରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ ।

ତେବେ ରୋଡ ସୋ ପୂର୍ବରୁ ନୟାଗଡ ରଣପୁର ଓ ଚିଲିକା ନିର୍ବାଚନୀ ସଭାରେ କେନ୍ଦ୍ରର ବିଜେପି ସରକାର ଉପରେ ପୁଣିଥରେ ଦୋଷ ଲଦିଥିଲେ ନବୀନ । ବିଜେପି ସରକାର ଚିଲିକାକୁ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲା ଏବଂ ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଥିଲା ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ରଣପୁର ସଭାରେ ବି ନବୀନଙ୍କ ଟାର୍ଗଟରେ ଥିଲା କେନ୍ଦ୍ର ସରକାର । କାଳିଆ ଯୋଜନାକୁ ଅଟକାଇବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି ପୁଣିଥରେ ଅଭିଯୋଗ ଦୋହରାଇଛନ୍ତି ନବୀନ । ତେବେ ଏପରି ହେବାକୁ ଦିଆଯିବନି ବୋଲି ସେ କହିଛନ୍ତି

ପରେ ନବୀନ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ପୁରୀ ବଡଦାଣ୍ଡରେ ଦଳୀୟ କର୍ମୀଙ୍କ ସହ ରୋଡ ସୋ କରିଥିଲେ ନବୀନ । ଏହା ପରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ରୋଡ୍ ସୋ । ଏହି ରୋଡ ସୋ ଚାଲିଥିବା ସମୟରେ ନବୀନଙ୍କୁ ଦେଖିବା ପାଇଁ ଆଉ ଭାଷଣ ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା ।