ତପ୍ତପାଣି ବସ ଦୁର୍ଘଟଣା ପାଇଁ ଅନୁକମ୍ପା ରାଶି ଘୋଷଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

712

କନକ ବ୍ୟୁରୋ: ତପ୍ତପାଣି ବସ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ଫା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିସହ ଉଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ଭୋରୁ ତପ୍ତପାଣି ଘାଟିରୁ ଯାତ୍ରୀବାହୀ ବସ ଖସିପଡି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଘାଟିରେ ବସ ଖସିପଡିବା ପରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ କୁହୁଡି ପାଇଁ ରାସ୍ତା ଘାଟ ନଦିଶିବାରୁ ଏବଂ ବ୍ରେକ ଫେଲ ହେବାରୁ ବସ ଘାଟି ତଳକୁ ଖସିଥିଲା ଆଉ ତାପରେ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିଲା । ତେବେ ବସ ଭିତରେ କିଛି ଯାତ୍ରୀ ଚାପି ରହିଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ବସରେ ଚାପି ହୋଇ ଜଣେ ମହିଳା ଚିତ୍କାର କରୁଛନ୍ତି । ଜୀବନ ବିକଳରେ ବସ ଭିତରେ ଆର୍ତ୍ତ ଚିତ୍କାର କରୁଛନ୍ତି ଜଣେ ମହିଳା । ମହିଳାଙ୍କୁ ଉଦ୍ଧାର କରିବାକୁ ଚାଲିଛି ସମସ୍ତ ଚେଷ୍ଟା । ଅଗ୍ନିଶମ କର୍ମଚାରୀ ମହିଳାଙ୍କୁ ବାହାରକୁ ଆଣିବାକୁ ସମସ୍ତ ଉଦ୍ୟମ କରୁଛନ୍ତି ।

ତେବେ ବସରେ ଚାପି ରହିଥିବା ଆହତଙ୍କୁ ଉଦ୍ଧାର ପାଇଁ ବସକୁ ୩ ଖଣ୍ଡ ଖରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା କହିଛନ୍ତି ମନ୍ତ୍ରୀ । ତେବେ ଦୁର୍ଘଟଣାସ୍ଥଳକୁ ବ୍ଲାକସ୍ପଷ୍ଟ ଭାବେ ଚିହ୍ନ କରାଯାଇଥିବା ବେଳେବ ଘନ କୁହୁଡି ପାଇଁ ବସ ଘାଟିରୁ ଖସିଥିବା ମନ୍ତ୍ରୀ କହିଛନ୍ତି ।

ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି । ଗ୍ୟାସ କଟରରେ ବସର ଡୋର କାଟି ଆହତମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ନିଆଯାଇ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମକେସିଜି ମେଡ଼ିକାଲରେ ୨୬ ଜଣ ଗୁରୁତର ଆହତ ଭର୍ତ୍ତି ହୋଇଛନ୍ତି ।

ସେପଟେ କାନ୍ଦ ବୋବାଳିରେ ଫାଟିପଡ଼ୁଛି ମେଡ଼ିକାଲ ପରିସର । ହେଲେ ଦିଗପହଣ୍ଡି ମେଡ଼ିକାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ଆହତ ଓ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ସୁଦ୍ଧା ଡାକ୍ତରଙ୍କ ଦେଖା ନାହିଁ । ଜଣେ ଫାର୍ମାସିଷ୍ଟଙ୍କ ଆଉ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆହତଙ୍କ ଚିକିତ୍ସା କରୁଛନ୍ତି ।