ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

41

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଯ୍ୟାଶାୟୀ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି ନବୀନ । ବିଗତ ଦିନର ବିଜେପି-ବିଜେଡି ମେଂଟର ଏହି ମହାନାୟକଙ୍କ ଭେଟଘାଟକୁ ନେଇ ରାଜନୀତି ବି ସରଗରମ । ବିଜେପିଠାରୁ ଦୂରତା ରକ୍ଷା କରୁଥିବା ନବୀନ ରାଷ୍ଟ୍ରପତି ନିର୍ବାଚନ ଆଗରୁ ବାଜପେୟୀଙ୍କୁ ଭେଟିବା ରାଜନୀତି ମହଲରେ ଚର୍ଚା ସୃଷ୍ଟି କରିଛି ।

ପ୍ରାୟ ୨୦୦୯ରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି ବିଜେପିର ଏହି ବରିଷ୍ଠ ଓ ସର୍ବମାନ୍ୟ ନେତା । ସେହିବର୍ଷ ଏକ ଷ୍ଟ୍ରୋକ ପରେ ତାଙ୍କର କଥା କହିବା ଏକପ୍ରକାର ବନ୍ଦ ହୋଇଯାଇଥିଲା । ଏମିତିକି କାହାକୁ ବି ଚିହ୍ନିପାରୁନାହାଁନ୍ତି ବାଜପେୟୀ । ଏହି ଅବସ୍ଥାରେ ବେଶ୍ ପୁରୁଣା ସମ୍ପର୍କ ଥିବା ନବୀନ ତାଙ୍କୁ ଭେଟିବା ବେଶ୍ ସ୍ୱାଭାବିକ କଥା । କିନ୍ତୁ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଅଛି ଏବଂ ବିଜେଡି କୁଆଡେ ଯିବ ତାହା ସ୍ଥିର କରିପାରିନଥିବା ବେଳେ ବାଜପେୟୀଙ୍କୁ ଭେଟି ନବୀନ ବାର୍ତା ଦେବାକୁ ଚାହୁଁଥିବା ନେଇ ଚର୍ଚା ହେଉଛି ।

ରାଜନୈତିକ ମହଲରେ ହେଉଥିବା ଚର୍ଚା ଅନୁସାରେ ବିଜେପି କ୍ୟାମ୍ପକୁ ଏହି ପଦକ୍ଷେପ ଦ୍ୱାରା ନବୀନ ଦ୍ୱନ୍ଦ୍ୱରେ ପକାଇଦେଇପାରନ୍ତି । ଏସବୁ ଚର୍ଚା ଆଲୋଚନା ଭିତରେ ଦେଖନ୍ତୁ ବାଜପେୟୀ-ନବୀନଙ୍କ ସେହି ପୁରୁଣା ଦିନର କଥା ।