ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଉଟଲୁକ୍ ପକ୍ଷରୁ ହେଲେ ସମ୍ମାନିତ

44

କନକ ବ୍ୟୁରୋ : ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଉଟଲୁକ୍ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଦେଶର ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭୋଟିଂ ହୋଇଥିବା ବେଳେ ଏହି ତାଲିକାର ଶୀର୍ଷରେ ରହିଲେ ନବୀନ । ପୂର୍ବରୁ ଆଉଟଲୁକ୍ ସ୍ପିକ୍ ଆଉଟ୍ ଆୱାର୍ଡର ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଉଥିବା ନେଇ ସ୍ପଷ୍ଟ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏନେଇ ସିଏମଓ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସେପଟେ ରାଜ୍ୟର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ନେଇ ବିଭିନ୍ନ ସ୍ତରରେ ଚର୍ଚା ହୋଇଛି ଏବଂ ଏହା ରାଜ୍ୟବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ବିଜେଡି କହିଛି ।

‘ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ’ରେ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା । ନବୀନଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା । ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା ।

ଓଡ଼ିଶାରେ ଶାସନ ଡୋରି ଧରିଲା ପରଠାରୁ ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସବୁବେଳେ ଉଜ୍ଜ୍ୱଳ ରଖିବାକୁ ନବୀନ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଚତୁର୍ଥ ପାଳି ଶାସନକୁ ଆସିଲା ପରେ ଏହା ଉପରେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଝଟ୍କା ପାଇଲା ପରେ ଜାତୀୟ ସ୍ତରରେ ନବୀନଙ୍କ ଛବି କିଛିଟା ମଳିନ ହୋଇପଡ଼ିଲା । ଏହା ପରେ ନବୀନ ତାଙ୍କ ପୁରୁଣା ଷ୍ଟାଇଲରେ ପୁଣି ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏକ ଇଂରାଜୀ ପତ୍ରିକାର କଭର୍ ପୃଷ୍ଠାରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଲେ । ଏବେ ଆଉଟଲୁକ୍ ପତ୍ରିକା ପକ୍ଷରୁ ସମ୍ମାନ ପାଇଲା ପରେ ଜାତୀୟ ସ୍ତରରେ ନିଜର ଦକ୍ଷତା ଓ ସ୍ୱଚ୍ଛତାକୁ ପ୍ରମାଣିତ କରିବାର ସୁଯୋଗ ମିଳିବ ବୋଲି ବିଜେଡି ପକ୍ଷରୁ ଆକଳନ କରାଯାଉଛି ।