ନବୀନଙ୍କୁ ଭାଷଣରେ ବାନ୍ଧି ଦେଲେ ମଫସଲ ଗାଁର ମହିଳା । ନିଜ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ହସାଇଲେ ଜୟନ୍ତୀ ଏକ୍କା

615

କନକ ବ୍ୟୁରୋ : ଜୟନ୍ତୀ ଏକ୍କା । ଏବେ ଓଡିଶାର ଘରେ ଘରେ ପରିଚିତ ଏହି ନାଁ । ମେକ୍ ଇନ ଓଡିଶାର ମହିଳା ଉଦ୍ୟୋଗ କର୍ମଶାଳାରେ ସୁନ୍ଦରଗଡରୁ ଆସିଥିବା ଏହି ମହିଳା ଜଣକ ଆଜି ନିଜ ସଂଘର୍ଷପୂର୍ଣ୍ଣ କାହାଣୀ କହିଥିଲେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଟରୁ ଛିଡା ହୋଇ ତାଳି ମାରିବାକୁ ବାଧ୍ୟ କରିଥିଲା । ପାଖାପାଖି ୨୦ ମିନଟ୍ ଧରି ଜୟନ୍ତୀ ନିଜ କାହାଣୀ କହିଥିବା ବେଳେ ନବୀନ ମଧ୍ୟ ବେଶ ଆଗ୍ରହର ସହ ଏହାକୁ ଶୁଣିଥିଲେ ।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ବସିଥିବା ସଭାରେ ଆଇଏଏସ ଅଫିସରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୫ ମିନିଟରୁ କମ ସମୟ ମଧ୍ୟରେ ଭାଷଣ ଶେଷ କରୁଥିବାର ଦେଖିବାକୁ ମିଳିଥାଏ । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ କମ ସମୟ ମଧ୍ୟରେ ନିଜର ଭାଷଣ ସାରିଥାନ୍ତି । କିନ୍ତୁ ମେକ୍ ଇନ୍ ଓଡିଶା କନକ୍ଲେଭରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ମିଶନ ଶକ୍ତିର ମାସ୍କଟ ସାଜି ଉଭା ହୋଇଥିଲେ ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା । ପାଖାପାଖି ୨୦ ମିନିଟ୍ ଧରି ଜୟନ୍ତୀ କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ । ମୁଖ୍ୟମନ୍ତ୍ରୀ ମଧ୍ୟ ବେଶ ଆରାମରେ ଜୟନ୍ତୀଙ୍କ କଥା ଶୁଣି ଚାଲିଥିଲେ ।

ନିଜର ସଂର୍ଘଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉଥିବାରୁ ଚାଷୀଙ୍କ ଠାରୁ ଧାନ ନେଇ ବିକ୍ରି ମଧ୍ୟ କରିଛୁ । ସେତେବେଳେ ଚେକ୍ ବ୍ୟବସ୍ଥା ନଥିବାରୁ ଆମ ଆକାଉଣ୍ଟରେ ଏକକାଳୀନ ୬ରୁ ୭ ଲକ୍ଷ ଟଙ୍କା ଧାନ ବିକ୍ରି ଟଙ୍କା ଜମା ହୋଇଗଲା । ଆମ ଜୀବନରେ କେବେବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେ ବେଳେ ବ୍ୟାଙ୍କ ଗଲୁ ଆମକୁ ଏକ୍ ବସ୍ତାର ଟଙ୍କା ଧରାଇଦେଲେ। ଯାହା ଦେଖି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଏତେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ’ ମାଟି ଖପରା ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ।

ଏହିଭଳି ସମୟରେ ମୋ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା । ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ଟଙ୍କା ବସ୍ତାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। କାରଣ ଚୋର ଘରୁ ଚୋରି କରିଥାନ୍ତି । ଗଛ ଉପରେ ଚୋରଙ୍କର ନଜର ନଥାଏ । ଆଉ ଜୟନ୍ତୀ ଏହି କାହାଣୀ କହିବା ପରେ ମୁଖ୍ୟମନ୍ତ୍ରୀ ହସିଥିଲେ । ଏପରିକି ମଞ୍ଚ ଉପରେ ଥିବା ଅଧିକାରୀ ମାନେ ନିଜ ହସକୁ ସମ୍ଭାଳି ପାରିନଥିଲେ । ଜୟନ୍ତୀଙ୍କ ଭାଷଣ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି ୫ ମିନିଟରୁ ଅଧିକ ସମୟ ଧରି କଥା ହେବା ପରେ ହାତ ମିଳାଇଥିଲେ ।