ବିଜେପୁର ବ୍ୟାଟେଲ: ଆସନ୍ତାକାଲି ନିର୍ବାଚନ ପ୍ରଚାରକୁ ଶେଷ ସ୍ପର୍ଶ ଦେବେ ନବୀନ; ଷ୍ଟାର୍ ପ୍ରଚାରକ କଲେଣି ଅଡ଼ୁଆ

260

କନକ ବ୍ୟୁରୋ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପ୍ରଚାରକୁ ଶେଷ ସ୍ପର୍ଶ ଦେବା ପାଇଁ ଆସୁଥିବା ଜଣାପଡିଛି। ଗୁରୁବାର ପହଂଚିବା ପରେ ସେ ଏଠାରେ ଦୁଇଦିନ ରହି ମାରାଥନ ନିର୍ବାଚନ ପ୍ରଚାର କରିବେ। ଏଥିପାଇଁ ଭୋଟରମାନଙ୍କ ଅପେକ୍ଷା ଏଠାରେ ଦାୟିତ୍ୱରେ ଥିବା ବିଜେଡି ନେତାମାନଙ୍କର  ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି। ବରପାଲି ଏନଏସି ଓ ବ୍ଲକ, ବିଜେପୁର, ଗାଇସିଲେଟ ପାଇଁ ବହୁ ପୂର୍ବରୁ ବିଜେଡି ବିଭିନ୍ନ ନେତାମାନଙ୍କୁ ଦାୟିତ୍ବ ଦେଇସାରିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସିବା ଦିନ ସେମାନେ କିପରି ତାଙ୍କୁ ନିଜର ପାରିବାପଣ ଦେଖାଇବେ ସେ ନେଇ ପୂରା ବଳ ଖଟାଇବା ଆରମ୍ଭ କରିଦେଇଛନ୍ତି। ବିଜେପୁରରେ ବିଜେଡି ପ୍ରଚାରର ସାମଗ୍ରିକ ଦାୟିତ୍ୱରେ ଥିବା ସଂଜୟ ଦାସବର୍ମା, ନିରଂଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ନିଜର ପତିଆରା ଜାହିର କରିବା ପାଇଁ ଚେଷ୍ଟା କରିବେ। ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ସହ କେତେକ ସାଧାରଣ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

ଗତ ନିର୍ବାଚନରେ କୁମ୍ଭାରୀଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ତାଙ୍କ ଉପରେ ଚପଲ ଫିଙ୍ଗା ଯାଇଥିବାରୁ ଏହା ଦଳୀୟ ତଥା ପ୍ରଶାସନିକ ମହଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଏଥର ଉଭୟ ବିଜେଡି ଓ ପୁଲିସ ପ୍ରଶାସନ ଏଥିପାଇଁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ନିର୍ବାଚନ ପ୍ରଚାର କାର୍ୟ୍ୟ ମଧ୍ୟ ସମୀକ୍ଷା କରିବାର ଥିବାରୁ ଏଥିପାଇଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ମଧ୍ୟ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟୀ କରାଇଥିଲେ। ତେବେ ସେହି ସମୟରେ ମଧ୍ୟ ସେ ଦୁଇ ଦିନ ପାଇଁ ଏହି ନିର୍ବାଚନ ମଣ୍ଡଳୀକୁ ପ୍ରଚାର କରିବାକୁ ଆସିଥିଲେ। ନିର୍ବାଚିତ ହେବା ପରେ ସେ ଏହି ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇ ହିଂଜିଳିକୁ ରଖିଥିବାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି କହୁଛନ୍ତି।

ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁର ଛାଡ଼ିଲେ ବୋଲି ଏଠାରେ ପ୍ରଶ୍ନ ଉଠାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନର କି ଉତ୍ତର ଦେବେ ଏହା ଉପରେ ରାଜନୈତିକ ମହଲର ନଜର ରହିଛି। ୨୦୧୮ ଉପନିର୍ବାଚନରେ ସଂପୂର୍ଣ୍ଣ ନବାଗତ ରୀତା ସାହୁଙ୍କୁ ପ୍ରାର୍ଥୀ କଲା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ସେ ନିଜେ ପ୍ରତ୍ୟକ୍ଷ ଭାବରେ ବିଜେପୁର କଥା ବୁଝିବେ। ଏବେ ସେହି ରୀତା ସାହୁ ପୁଣି ଥରେ ବିଜେଡିରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ୨୦୧୮ ଉପନିର୍ବାଚନରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଥିଲା। ତେବେ ଏହା ମଧ୍ୟରୁ ପ୍ରମୁଖ ଥିଲା ଗଙ୍ଗାଧର ମେହେର ଜଳସେଚନ ଯୋଜନା। ଦେଢ଼ ବର୍ଷରୁ ଅଧିକ ବିତି ଯାଇଥିଲେ ବିଜେପୁରରେ ଏକ ଜଳସେଚନ ବିଭାଗର ଅଫିସ୍ ଖୋଲି ୨/୩ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ସେପରି ଆଖିଦୃଶିଆ ଅଗ୍ରଗତି ହୋଇ ନ ଥିବାରୁ ଏହାକୁ ମଧ୍ୟ ବିରୋଧୀ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଚଳିତ ଗସ୍ତରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଅନେକ ପ୍ରତିଶ୍ରୁତି ଦେବାର ସମ୍ଭାବନା ରହିଛି । ମାତ୍ର ନିର୍ବାଚନ କଟକଣା ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ସିଧାସଳଖ କୌଣସି ଘୋଷଣା କରିପାରିବେ ନାହିଁ। ଦୁଇ ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ସାମ୍ନା କରୁଥିବା ବିଜେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ କେତେ ଦୂର ଗ୍ରହଣ କରିବେ ତା ଉପରେ ଦଳର ସଫଳତା ନିର୍ଭର କରିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏହି ଉପନିର୍ବାଚନ ମୋଡ଼କୁ ବଦଳାଇବ ଏଥିରେ କୌଣସି ସନ୍ଦେହ ନାହିଁ।

ଷ୍ଟାର୍ ପ୍ରଚାରକ କଲେଣି ଅଡ଼ୁଆ

ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକର ନିଦ ସେତିକି ଉଡ଼ି ଯାଉଛି। ଦିନରାତି ଏକ୍ କରି ସଭିଏଁ ବିଜେପୁର ଆସନ ଦଖଲ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିପାଇଁ ସବୁ ବଳବୁଦ୍ଧି ଅଜାଡ଼ି ଦିଆଯାଉଛି। ପ୍ରଚାର ଅଭିଯାନକୁ ଶାଣିତ ଏବଂ ଆକର୍ଷଣୀୟ କରିବାକୁ କସରତ ଚାଲିଛି। ଷ୍ଟାର ପ୍ରଚାରକ ଯୋଗାଡ଼ ସାଂଗକୁ ସିନେଷ୍ଟାରଙ୍କୁ ଅଭିଯାନରେ ଓହ୍ଲାଇବାକୁ ଉଦ୍ୟମ ଚାଲିଛି। ପ୍ରଚାର ବେଳେ ଆଶାନୁରୂପକ ଭିଡ଼ ହେଉନଥିବାରୁ ଚିନ୍ତା ଆହୁରି ବଢ଼ୁଛି। ତିନି ପ୍ରମୁଖ ଦଳ ନିଜ ନିଜ ୪୦ ଜଣିଆ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଆଗରୁ ପ୍ରକାଶ କରି ଦେଇଛନ୍ତି। କିନ୍ତୁ ଏହି ଷ୍ଟାର୍ ପ୍ରଚାଚକମାନେ ହିଁ ବେଶି ମୁଣ୍ଡବିନ୍ଧା ଦେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।