ନବୀନଙ୍କ ମହିଳା କାର୍ଡ ବନାମ ମୋଦିଙ୍କ ମହିଳା କାର୍ଡ । ସଶକ୍ତିକରଣ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କାଠ ଗଡାକୁ ଟାଣିଲେ ପ୍ରଧାନମନ୍ତ୍ରୀ ।

107

କନକ ବ୍ୟୁରୋ : ନବୀନଙ୍କ ମହିଳା କାର୍ଡକୁ ମୋଦିଙ୍କ କାଉଣ୍ଟର । ମହିଳା ସଶକ୍ତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ବାରିପଦାରେ ମହିଳାଙ୍କୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ । ମୋଦି କହିଲେ, ବାରିପଦା ଏପରି ଏକ ସ୍ଥାନ ଯେଉଁଠି ପବିତ୍ର ରଥଯାତ୍ରାରେ ମହିଳାମାନେ ମା’ ସୁଭଦ୍ରାଙ୍କର ରଥ ଟାଣିଥାନ୍ତି । ଆଉ ଏହି ପରମ୍ପରା ହିଁ ମହିଳା ସଶକ୍ତିକରଣର ବଡ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଥିବା ବେଳେ, ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ବାରିପଦାରେ ରଥଯାତ୍ରାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ପରମ୍ପରାକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରମ୍ପରାକୁ ଦେଶର ପ୍ରତୀକ ବୋଲି ସେ କହିଛନ୍ତି । ଏହା ସହ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନେଇ ଅନେକ ଯୋଜନା କରୁଛନ୍ତି । କିନ୍ତୁ ଓଡିଶା ସରକାର କେନ୍ଦ୍ରର ଯୋଜନାକୁ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହିଳା ସଶକ୍ତିକରଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ ସମେତ ମହିଳାଙ୍କୁ ସୁରକ୍ଷା ଦେବାରେ ଓଡିଶା ପଛରେ ରହିଥିବା ମୋଦି କହିଛନ୍ତି । ତେବେ ଆଜି ଗୋଟିଏ ଦିନରେ ଦୁଇଟି ରାଜନୈତିକ ସଭା ରାଜ୍ୟ ରାଜନୀତିରେ ଚହଳ ପକାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ମହିଳା ସଶକ୍ତିକରଣ କିମ୍ବା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ଏସଏସଜି ଗ୍ରୁପ ଗୁଡିକୁ ବିନା ସୁଧରେ ଋଣ ଦେବା ନିମନ୍ତେ ଘୋଷଣା କରିଛନ୍ତି ନବୀନ । ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାରିପଦାରେ ରାଜ୍ୟ ସରକାରଙ୍କୁ ଘେରିବା ସହ ମହିଳା ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି ।

ଆଗକୁ ୨୦୧୯ ନିର୍ବାଚନ ଥିବା ବେଳେ ଦୁଇ ସସ୍ତାହ ମଧ୍ୟରେ ମୋଦିଙ୍କ ଦୁଇ ଦୁଇ ଥର ଓଡିଶା ଗସ୍ତ ଓଡିଶା ରାଜନୀତିରେ ଚହଳ ପକାଇ ଦେଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଆଜି ହୋଇଥିବା ଦୁଇ ଦୁଇଟି ବଡ କାର୍ଯ୍ୟକ୍ରମରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ପଟେ କହିବାକୁ ଗଲେ ନବୀନଙ୍କ ପୁରୀ କାର୍ଯ୍ୟକ୍ରମକୁ କାଉଣ୍ଟର କରିଛନ୍ତି ମୋଦି । ପୁରୀରେ ନବୀନ ମହିଳାଙ୍କ ପାଇଁ ବଡ ଘୋଷଣା କରିଥିବା ବେଳେ, ପୁରୀର ଝିଅକୁ ନ୍ୟାୟ ମିଳିନାହିଁ ବୋଲି ମୋଦି କହିଛନ୍ତି । ଉଭୟ ସଭାରେ ମହିଳାଙ୍କୁ ଦିଆଯାଇଛି ଗୁରୁତ୍ୱ । ତେବେ ମୋଦିଙ୍କ ଗସ୍ତ, ଆଗାମୀ ନିର୍ବାଚନରେ କେଉଁ ଭଳି ପ୍ରଭାବ ପକାଉଛି, ତାହା ଦେଖିବାକୁ ରହିଲା ।