ଦେଶରେ ବଢିବନି ଲକଡାଉନ୍ ଅବଧି ? ୨୧ ଦିନ ପରେ ତାଲାବନ୍ଦ ଅବଧି ବୃଦ୍ଧି କରିବା ନେଇ କୌଣସି ଯୋଜନା ହୋଇନଥିବା ସ୍ପଷ୍ଟ କଲେ କେନ୍ଦ୍ର ସରକାର ।

4,251

କନକ ବ୍ୟୁରୋ : ୨୧ ଦିନ ପରେ ଦେଶରେ ଆଉ ବଢ଼ି ନପାରେ ଲକଡାଉନ୍ ଅବଧି । କେନ୍ଦ୍ର କ୍ୟାବିନେଟ ସଚିବ ଆଜି କହିଛନ୍ତି ଯେ, ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିବା ନେଇ ବର୍ତ୍ତମାନ କୌଣସି ଯୋଜନା କରିନାହାନ୍ତି । କରୋନା ଭୂତାଣୁ ପାଇଁ ସରକାର ଆଗୁଆ ୩ ମାସ ପାଇଁ ବିଭିନ୍ନ ଘୋଷଣା କରୁଥିବା ବେଳେ ଅଧିକାଂଶ ଆଶଙ୍କା କରିଥିଲେ ଯେ, ତାଲାବନ୍ଦ ନିଷ୍ପତି ଆହୁରି ବୃଦ୍ଧି ପାଇବ । ହେଲେ ଏଭଳି ଆଶଙ୍କା ଭୁଲ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ସୋସିଆଲ ମିଡିଆରୁ ଆରମ୍ଭ କରି କେତେକ ପ୍ରମୁଖ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଥିଲା ଯେ, ୨୧ ଦିନିଆ ତାଲାବନ୍ଦକୁ ବୃଦ୍ଧି କରିପାରନ୍ତି ମୋଦି ସରକାର । ବିଶେଷ କରି ବିଭିନ୍ନ ସ୍ଥାନରେ ଫସିରହିଥିବା ଦାଦନ ଶ୍ରମିକଙ୍କ ଘରବାହୁଡା ଓ ରାଜରାସ୍ତାରେ ଭିଡ, ତାଲାବନ୍ଦକୁ ଆହୁରି ସପ୍ତାହେ ବିଳମ୍ବିତ କରିବା ଆଶଙ୍କା ବଢାଇ ଦେଇଛି । ହେଲେ ଏଭଳି ଆଶଙ୍କା ଭୁଲ ବୋଲି କହିଛନ୍ତି କେନ୍ଦ୍ର ସରକାର ।

୨୧ ଦିନ ପରେ ଦେଶରେ ଆଉ ବଢ଼ି ନପାରେ ଲକଡାଉନ ଅବଧି । କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଏନେଇ ସ୍ପଷ୍ଟୀକରଣ ରଖିଥିବା ଟ୍ୱିଟ କରିଛି ପ୍ରସାର ଭାରତୀ ନ୍ୟୁଜ ସର୍ଭିସ । ପିବିଏନଏସ ଟ୍ୱିଟ କରି ଲେଖିଛି ଯେ, ଜାତୀୟ ଗଣମାଧ୍ୟମ ଦି ପ୍ରିଂଟର ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଥିବା ଖବର ବାବଦରେ କ୍ୟାବିନେଟ ସଚିବଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ତାଲାବନ୍ଦର ଅବଧିକୁ ବଢାଇବା ନେଇ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ।

୨୧ ଦିନର ଅବଧି ପରେ ପୁଣି ଲକଡାଉନ ଘୋଷଣା ହୋଇପାରେ ବୋଲି ଜୋରଦାର ଚର୍ଚ୍ଚା ଚାଲିଥିଲା । ହୁଏତ ଆପଣଙ୍କ ପାଖକୁ ମଧ୍ୟ ଏଭଳି ହ୍ୱାଟ୍ସଆପ ମେସେଜ ଆସିଥାଇପାରେ । କିନ୍ତୁ ଏହା ସଂପୂର୍ଣ୍ଣ ମିଛ ଓ ବର୍ତ୍ତମାନ କେନ୍ଦ୍ର ସରକାର ଏଭଳି କିଛି ଯୋଜନା କରିନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।
ବିଶ୍ୱ ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଏହି ସମୟରେ କାହାରିକୁ ଘରୁ ନବାହାରିବାକୁ ଅପିଲ କରାଯାଇଥିଲା । ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କୁହାଯାଇଥିଲା । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କୁହନ୍ତୁ ଅଥବା ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକ କଟକଣା ନମାନି ବାହାରକୁ ବାହାରି ଆସୁଥିବାରୁ ଏହି ଅବଧି ବୃଦ୍ଧ ନେଇ ଚର୍ଚ୍ଚା ବଢିଥିଲା ।

ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ହଜାର ହଜାର ଶ୍ରମିକ ନିଜନିଜ ଘରକୁ ଫେରିବା ଲାଗି ରାଜପଥରେ ଭିଡ ଜମାଇବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ଅଧିକ ବଢିଯାଇଥିଲା । ସାମାଜିକ ଦୂରତ୍ୱ ନେଇ ପ୍ରୟାସଟି ଭଣ୍ଡୁର ହୋଇଯିବା ଆଶଙ୍କାରେ ଏହାର ଅବଧି ବଢିବା ଅନୁମାନ କରାଯାଉଥିଲା ।

କରୋନା ମୁକାବିଲା ପାଇଁ ଆଇସୋଲେସନ ବା ସଙ୍ଗରୋଧ ସବୁଠାରୁ ବଡ ଆବଶ୍ୟକତା । ତେଣୁ ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି । ରବିବାର ଠାରୁ ଏହାକୁ ଆହୁରି କଡାକଡି କରିବା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସୀମାଗୁଡିକ ସିଲ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହା ଫଳରେ ଶ୍ରମିକମାନଙ୍କର ଚଳପ୍ରଚଳକୁ ମଧ୍ୟ ବନ୍ଦ୍ କରାଯାଇଛି । ତାଲାବନ୍ଦ କାରଣରୁ ଆଶ୍ୱସ୍ତିକର ଅନୁଭବ କରୁଥିବା ଦେଶବାସୀଙ୍କୁ କେନ୍ଦ୍ରର ଏହି ନିଷ୍ପତି ବଡ ଆଶ୍ୱସ୍ତି ଦେଇଛି ।