ରାଫେଲ୍ ନେଇ ମୁହଁ ଖୋଲିଲେ ମୋଦି ! ପରୋକ୍ଷରେ କଂଗ୍ରେସକୁ କଲେ ଟାର୍ଗେଟ୍, କହିଲେ, ରାଫେଲ୍ ଥିଲେ ହୋଇଥାନ୍ତା କିଛି ଅଲଗା ।

137

କନକ ବ୍ୟୁରୋ : ରାଫେଲ୍ ପ୍ରସଙ୍ଗରେ ପୁଣି ତେଜିଲା ରାଜନୀତି । ରାଫେଲକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୋକ୍ଷରେ କଂଗ୍ରେସକୁ ସେ ଟାର୍ଗେଟ୍ କହିଛନ୍ତି । ମୋଦି କହିଛନ୍ତି, କଂଗ୍ରେସ ସରକାର ସମୟରେ ହିଁ ରାଫେଲକୁ ନେଇ ବିଳମ୍ବ ହୋଇଛି । ରାଜନୀତି କାରଣରୁ ଦେଶକୁ ବହୁତ କ୍ଷତି ସହିବାକୁ ପଡୁଛି ବୋଲି ମୋଦି କହିଛନ୍ତି ।

ରାଫେଲର ଅନୁପସ୍ଥିତିକୁ ଦେଶ ଆଜି ଅନୁଭବ କରୁଛି । ଇଣ୍ଡିଆ ଟୁଡେ କନକ୍ଲେଭ ୨୦୧୯ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କନକ୍ଲେଭରେ ରାହୁଲ ଓ କଂଗ୍ରେସ ଉପରେ ପରୋକ୍ଷରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ରାଫେଲକୁ ନେଇ ପ୍ରଥମେ ସ୍ୱାର୍ଥନୀତି ଓ ଏବେ ରାଜନୀତି କାରଣରୁ ଦେଶକୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ତାଙ୍କୁ ବିରୋଧ କରୁଥିବା ଲୋକମାନେ ମୋଦିଙ୍କୁ ବିରୋଧ କରିବାର ଅଛି ତ, କରନ୍ତୁ ଆଉ ତାଙ୍କ ଯୋଜନାରୁ ମଧ୍ୟ ଭୁଲ ବାହାର କରନ୍ତୁ, ସେସବୁ ସେ ସ୍ୱାଗତ କରୁଛନ୍ତି । ହେଲେ ଦେଶ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପକୁ ବିରୋଧ ନ କରନ୍ତୁ । ମୋଦି ବିରୋଧୀ ଜିଦି ଯୋଗୁଁ ଯେପରି ମାସୁଦ ଅଜହର ଓ ହାଫିଜ ସୟିଦ ଭଳି ଆତଙ୍କବାଦୀଙ୍କୁ ସାହାରା ନ ମିଳୁ ଓ ସେମାନେ ମଜଭୁତ ନ ହୋଇ ଯାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ କନକ୍ଲେଭରେ ଚେତାଇ ଦେଇଛନ୍ତି ।