ବଢିଲା ଦିଦିଙ୍କ ଅଡୁଆ ! ନାରଦ ଷ୍ଟିଙ୍ଗ୍ ନେଇ ଘେରିଲା ସିବିଆଇ

36

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମୋଦି ବିରୋଧୀ ରାଜନୈତିକ ଶକ୍ତିଙ୍କ ପ୍ରମୁଖ ଅଂଶିଦାର ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘାରିଛି ସିବିଆଇ ଚିନ୍ତା । ଚିଟଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା ଦଳୀୟ ନେତା ପାଇଁ ଏବେ ଆହୁରି ଆଡୁଆ ବଢ଼ାଇ ଦେଇଛି ନାରଦ ଷ୍ଟିଙ୍ଗ ମାମଲା । ଏହି ମାମଲାରେ ୧୩ ଜଣ ତୃଣମୂଳ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।

ଏପଟେ ଆଜି ରାତି ପ୍ରାୟ ୯ଟାରେ ମମତା ଆସୁଛନ୍ତି ଓଡିଶା । ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମମତା ଭେଟିବେ କି ନାହିଁ ତାହା ଏଯାଏଁ ସ୍ଥିର ହୋଇନି । କିନ୍ତୁ ମୋଦିଙ୍କ ବିରୋଧରେ ଥିବା ନବୀନ ସରକାର ଓ ପଶ୍ଚିମ ବଂଗ ସରକାର ଏକାଠି ହୋଇ ଅଣ ବିଜେପି ସାମ୍ମୁଖ୍ୟ ଗଠନ କରିବା ନେଇ ଚର୍ଚା ବି ହେଉଛି । ଏସବୁ ଭିତରେ କିନ୍ତୁ ମମତାଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ନାରଦ ଷ୍ଟିଂଗ ଅପରେସନ ।

ଠିକ୍ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଥିଲା ନାରଦ ଷ୍ଟିଙ୍ଗର ଚିତ୍ର । ଯେଉଁଥିରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ ଓ ସାଂସଦ ବିଭିନ୍ନ ଘଟଣାରେ ଲାଂଚ ଦେଉଥିବାର ଏକାଧିକ ଚିତ୍ର ସାମ୍ନାକୁ ଆସିଥିଲା । ଏଥିରେ ସାଂସଦ ୬ ଜଣ ସାଂସଦ ଏବଂ ରାଜ୍ୟର ୩ ଜଣ ମନ୍ତ୍ରୀ କ୍ୟାମେରା ଧରାପଡ଼ିଥିଲେ । ଯେଉଁଥିରେ ସୌଗତ ରାୟ, ଶୁଭେନ୍ଦୁ ଅଧିକାରୀ, ସୁଲତାନ ଅହମ୍ମଦ, ମୁକୁଲ ରାୟ, ସୁବ୍ରତ ମୁର୍ଖାଜୀ, ମଦନ ମିତ୍ରଙ୍କ ଭଳି ନାଁ ସାମିଲ ରହିଛି ।

କ୍ଷମତାର ଅପବ୍ୟବହାର କରି ଲାଂଚ୍ ନେଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଆଉ ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଓ ଦୁର୍ନୀତି ବିରୋଧ ଆଇନର ସଂଗୀନ ଦଫା ସବୁ ଲାଗୁ କରିଛି ସିବିଆଇ । ଆଉ ଏହାରି ଭିତରେ ଓଡ଼ିଶା ଗସ୍ତରେ ଆସିଥିବା ମମତାଙ୍କୁ ପ୍ରଭୁ ଜଗନ୍ନାଥ ଏହି ସଂକଟରୁ ଉଦ୍ଧାର କରୁଛନ୍ତି ନା’ ସିବିଆଇ, ଦିଦିଙ୍କ ଟିମକୁ ଆଇନକାନୁନର ବୁଢ଼ିଆଣି ଜାଲରେ ଛନ୍ଦି ଦେଉଛି, ତା ଉପରେ ଏବେ ସମସ୍ତଙ୍କ ନଜର ।

ସେପଟେ ଓଡ଼ିଶା ପହଂଚିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁରୀରେ ବିରୋଧ । ମମତା ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିବାବେଳେ ତାଙ୍କ ପୁରୀ ଗସ୍ତକୁ ବିରୋଧ କରାଯାଇଛି । ପୂର୍ବରୁ ଗୋ ମାଂସ ଭକ୍ଷଣ ନେଇ ଦିଦି ରଖିଥିବା ବିବାଦୀୟ ବୟାନକୁ କେନ୍ଦ୍ର କରି ଶ୍ରୀମନ୍ଦିର ସେବାୟତ ସଂଘ ତାଙ୍କ ଗସ୍ତକୁ ବିରୋଧ କରିଛି । ମମତାଙ୍କ ଗସ୍ତ ସମୟରେ ବିରୋଧକୁ ଦୃଷ୍ଟିରେ ରଖି ଜଗନ୍ନାଥ ସେବାୟତ ସମ୍ମିଳନୀର ଯୁବ ସେବାୟତ ସୋମନାଥ ଖୁଂଟିଆଙ୍କୁ ଅଟକ ରଖାଯାଇଛି । ସୋମନାଥଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୁଲିସ ।