ଗ୍ରାମବାସୀଙ୍କ ନିଆରା ପ୍ରତିବାଦ ! ରାସ୍ତାରେ ଧାନ ଚାରା ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ ।

46

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚଲାଣଗୁଡା ଗ୍ରାମରେ ଗ୍ରାମବାସୀଙ୍କ ନିଆରା ପ୍ରତିବାଦ । ଗାଁରେ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଥିବାରୁ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଏ ନେଇ ପ୍ରଶାସନ ତରଫରୁ ସକରାତ୍ମକ ପଦକ୍ଷେପ ମିଳିପାରିନାହିଁ । ଯେଉଁଥିପାଇଁ ଗ୍ରାମବାସୀ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇବାକୁ ଚେଷ୍ଟା କରିଛନ୍ତି । ରାସ୍ତା ଉପରେ ଧାନ ଚାରା ଲଗାଇ ନିଆରା ଢଙ୍ଗରେ ଚାଷୀ ପ୍ରତିବାଦ କରିଛନ୍ତି ।

 

ଗ୍ରାମବାସୀଙ୍କ କହିବାନୁସାରେ ଚଲାଣଗୁଡାରୁ ଝରିଗାଁ ଯିବା ରାସ୍ତାର ଅବସ୍ଥା ଦୀର୍ଘ ଦିନରୁ ଏଭଳି ଶୋଚନୀୟ ଭାବରେ ରହିଛି । ବର୍ଷାଦିନେ ଏହି ରାସ୍ତାରେ ଠାଏଁ ଠାଏଁ ପାଣି ଜମୁଛି ଫଳରେ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ସ୍କୁଲ୍ ଯିବାଠାରୁ ଆରମ୍ଭ କରି ରୋଗୀ, ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନେବା,ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଯିବା ଭଳି ସବୁ କାମ ଏହି ରାସ୍ତା ଦେଇ ହୁଏ ବୋଲି ଗ୍ରାମବାସୀ କହିଛନ୍ତି । କିନ୍ତୁ ପ୍ରଶାସନକୁ ବାରମ୍ବାର କହିବା ସତ୍ତେ୍ୱ ଏହାର ଉପଯୁକ୍ତ ସମାଧାନ ନ କରି ଏଥିପ୍ରତି ଅବହେଳା କରାଯାଉଛି ଯାହାଫଳରେ ଗ୍ରାମବାସୀ ନାହିନଥିବା ଅସୁବିଧା ଭୋଗୁଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ରାସ୍ତାରେ ଧାନ ଚାରା ରୋପଣ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ ସେମାନେ କହିଥିଲେ, “ରାସ୍ତାରେ ତ ଯିବାଆସିବା ହୋଇପାରୁନାହିଁ କମ୍ ସେ କମ୍ ଧାନ ଫଳିଲେ ଗାଁ ଲୋକ ଖାଇବେ ।”