ବିଜେଡି-କଂଗ୍ରେସକୁ ଝଟକା ଦେଉଛି ଦଳଡିଆଁ ପର୍ବ । ଖୁବଶୀଘ୍ର ବିଜେପିରେ ଯୋଗଦେଇ ପାରନ୍ତି ପୂର୍ବତନ ସାଂସଦ ଓ ବିଧାୟକ ।

174

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନନୈତିକ ଦୃଶ୍ୟପଟ୍ଟ ବଦଳିବାରେ ଲାଗିଛି । ବିଶେଷ କରି ଦଳଡ଼ିଆଁ ପର୍ବ ଏବେ ଶାସକ ବିରୋଧୀ ଦଳମାନଙ୍କରେ ଖୁବ୍ ଜୋରସୋର ଭାବେ ପାଳନ ହେଉଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ମଧ୍ୟରେ ଉଭୟ ଶାସକ ଓ ବିରୋଧୀ ଦଳ ମାନଙ୍କର ସାଥ୍ ଛାଡ଼ି ଦେଇଛନ୍ତି ରାଜ୍ୟ ରାଜନୀତିର ହେଭିୱେଟ୍ ନେତା । ଏବେ ସେମାନଙ୍କ ଗତି କେଉଁଆଡ଼େ ବୋଲି ଚର୍ଚ୍ଚା ଜୋର ଧରିଛି ।

ଗତ ୧୪ ତାରିଖ ଦିନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯିବା କାରଣ ଦର୍ଶାଇ ଦଳ ଛାଡ଼ିଥିଲେ ବୋଲି କହିଥିଲେ ବଳଭଦ୍ର । ତେବେ ସେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଆଜି ସଂନ୍ଧ୍ୟାରେ ସେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ଏପରିକି ନବରଙ୍ଗପୁର ଲୋକସଭା ଆସନରେ ଦଳ ତାଙ୍କୁ ଶାସକ ବିଜେଡି ବିରୋଧରେ ପ୍ରାର୍ଥୀ କରିପାରେ ବୋଲି ଡିଲ୍ ହୋଇଥିବା ପୂର୍ବତନ ସାଂସଦଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି ।

ଏହି ଦଳବଦଳ ପ୍ରକ୍ରିୟା କେବଳ ଯେ ନବରଙ୍ଗପୁର ନୁହେଁ ବରଂ ସାଲେପୁର ରାଜନୈତିକ ମହଲକୁ ଉଷ୍ମ କରିଛି । କାରଣ ଦୀର୍ଘ ଦିନ ଧରି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିବା ନେଇ ଯେଉଁ ସଂକେତ ଦେଇଥିଲେ ତାହା ବାସ୍ତବରେ ପରିଣତ ହୋଇଛି । ‘ହାତ’ ଛାଡ଼ିଦେଇଛନ୍ତି ସାଲେପୁର କଂଗ୍ରେସର ଏହି ଟାଣୁଆ ନେତା ପ୍ରକାଶ ବେହେରା । ତେବେ ଦଳ ଛାଡ଼ିବା ପୂର୍ବରୁ ବିଜେଡି ପୋଷ୍ଟରରେ ପ୍ରକାଶଙ୍କ ଛବି ଦେଖିବାକୁ ମିଳୁଥିଲା । ଏପରିକି ନିଜ ସମର୍ଥକଙ୍କ ସହ ବିନା ଦଳୀୟ ଚିହ୍ନରେ ପଦଯାତ୍ରା କରି ଦଳୀୟ ସୁପ୍ରିମୋଙ୍କୁ ମନାଇବାକୁ ବଳ କଷିଥିଲେ ପ୍ରକାଶ । ଯାହା ସଙ୍କେତ ଦେଇଥିଲା ସେ ଖୁବଶୀଘ୍ର ବିଜେଡିରେ ଯୋଗଦେଇ ପାରନ୍ତି କିନ୍ତୁ ବିଜେଡି କ୍ୟାମ୍ପରୁ ଗ୍ରୀନ୍ ସିଗନାଲ ନମିଳିବାରୁ ଏବେ ପଦ୍ମ ଧରିବାକୁ ପ୍ରସ୍ତୁତ ହୋଇଛନ୍ତି ପ୍ରକାଶ ବୋଲି ଶୁଣିବାକୁ ମିଳୁଛି । ଏପରିକି ଆସନ୍ତାକାଲି ପ୍ରକାଶ ‘ଗେରୁଆ କ୍ୟାମ୍ପରେ ସାମିଲ ହୋଇପାରନ୍ତି ବୋଲି ପ୍ରକାଶଙ୍କ ସମର୍ଥକମାନେ ଗସିପ୍ କରୁଛନ୍ତି ।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ତାରିଖ ଘୋଷଣା ହେବାପରେ ବିଭିନ୍ନ ଲୋକସଭା ଓ ବିଧାନସଭା କ୍ଷେତ୍ରରୁ କିଏ ଟିକେଟ୍ ପାଇବ ଏବଂ କାହାର ପତା କଟିବ ତାକୁ ନେଇ ଛକାପଞ୍ଝା ଲାଗି ରହିଛି । ଏହାି ମଧ୍ୟରେ ଦଳ ଡ଼ିଆଁ ପର୍ବ ଉଭୟ ଶାସକ ଓ ବିରୋଧୀ ଦଳ ଗୁଡ଼ିକୁ ଚିନ୍ତାରେ ପକାଇଛି ।