ନବରଙ୍ଗପୁର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ଧରିବାକୁ କୁକୁର ଖୋଜୁଛି ସୁରାକ, ଘଟଣାସ୍ଥଳରେ ଏସପିଙ୍କ ତଦନ୍ତ

କ୍ଷତିପୂରଣ ସହ ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ପ୍ରତିଶ୍ୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ

638

କନକ ବ୍ୟୁରୋ: ନବରଙ୍ଗପୁର କୋସାଗୁମୁଡାରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଘଟଣା । ଅଭିଯୁକ୍ତକୁ ଠାବ କରିବାକୁ ଏବେ କୁକୁର ଖୋଜୁଛି ସୁରାକ୍ । ଆଜି ଶବ ଉଦ୍ଧାର ହୋଇଥିବା ସ୍ଥଳରେ ପୋଲିସ ସନ୍ଧାନୀ କୁକୁର ସହ ପହଁଚିବା ପରେ ଜୋର ଧରିଛି ତଦନ୍ତ । ଦୋଷୀକୁ ଧରିବାକୁ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ଅଭିଯୁକ୍ତ ବିଲ ଭିତରେ ଏଭଳି ବର୍ବର କାଣ୍ଡ ଘଟାଇବା ପରେ ଯେଉଁ ଯେଉଁ ସ୍ଥାନ ଦେଇ ଫେରାର ହୋଇଛି , ପ୍ରାଥମିକ ଭାବେ ସେହି ସ୍ଥାନ ଗୁଡିକୁ ଚିହ୍ନଟ କରିଛି ସନ୍ଧାନୀ କୁକୁର । ଯାହାକି ପୋଲିସକୁ ଆଗକୁ ତଦନ୍ତରେ ସହାୟତା ପ୍ରଦାନ କରିବ ବୋଲି କୁହାଯାଉଛି । ଏହି ଘଟଣାରେ କୋରାପୁଟ କୋଟପାଡ ଥାନାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ନେଇ ସୂଚନା ଥିଲେ ମଧ୍ୟ ପୋଲିସ ଏନେଇ କିଛି ସ୍ପଷ୍ଟ କରିନି ।

ସେପଟେ ଦୋଷୀଙ୍କୁ ତୁରନ୍ତ ଗିରଫ, ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ସହିତ ମୃତ ନାବାଳିକାର ପରିବାରକୁ ୧୦ ଲକ୍ଷ ଟଂକାର କ୍ଷତିପୂରଣ ରାଶି ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଛନ୍ତି ଆନ୍ଦୋଳନକାରୀ ଗ୍ରାମବାସୀ । ଗତକାଲି ସକାଳୁ ଗାଁରୁ ଅଧ କିଲୋମିଟର ଦୂର ଏକ ବିଲ ଭିତରୁ ଉଦ୍ଧାର ହୋଇଥିଲା ନାବାଳିକାଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରୁ ଚପଲ ଓ ଦୁଇଟି ଜିନ୍ସ ପ୍ୟାଂଟ ଜବତ କରିଛି । ସେପଟେ ମୃତ ନାବାଳିକାର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଶବକୁ କାନ୍ଧ ଦେଇଛନ୍ତି ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ।