ଚାଷୀ କରିବେ ଆଇନ୍ ଉଲ୍ଲଂଘନ ! ଦିନ ୧୨ଟା ସୁଦ୍ଧା ଅଧ୍ୟାଦେଶ ଜାରି କରିବାକୁ ସରକାରଙ୍କ ଉପରେ କୃଷକ ସଂଘର ଚାପ

ଗତକାଲି ନବନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତାଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ

111

କନକ ବ୍ୟୁରୋ: ଚାଷୀ ଦେଲେ ଆଇନ ଉଲ୍ଲଂଘନର ଧମକ  । ଆଜି ଦିନ ୧୨ଟା ସୁଦ୍ଧା ଅଧ୍ୟାଦେଶ ଆଣିବାକୁ ଜିଦରେ ଅଟଳ ନବନିର୍ମାଣ କୃଷକ ସଂଘ  । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ସପ୍ତାହେ ବ୍ୟାପୀ ପଦଯାତ୍ରା ପରେ ରାଜଧାନୀ ଉପକଣ୍ଠରେ ପହଂଚିଛି ।  ଆଜିି ରାଜଧାନୀରେ ବିଶାଳ ସମାବେଶର ଯୋଜନା ରଖିଥିବା ବେଳେ ପ୍ରଶାସନିକ ଅନୁମତି ମିଳି ନାହିଁ ।

 

ଅନ୍ୟପଟେ ଆନ୍ଦୋଳନକୁ ରୋକିବା ନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ରବିବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ହଂସପାଳ ଯାଇ ଚାଷୀଙ୍କୁ ଭେଟିଛନ୍ତି । ସେମାନଙ୍କ ଦାବି ନେଇ ସରକାର ଅବଗତ ଅଛନ୍ତି ଏବଂ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶଶିଭୂଷଣ । ଆନ୍ଦୋଳନରୁ ଓହରି ଆଲୋଚନା କରିବାରୁ ଚାଷୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଏହା ସହ ସରକାର ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି ।

 

ତେବେ ଆଲୋଚନା ବେଳେ ଆଜି ଦିନ ୧୨ଟା ସୁଦ୍ଧା ଏନେଇ ଏକ ଅଧ୍ୟାଦେଶ ଆଣିବାକୁ ଅଡି ବସିଛନ୍ତି ଚାଷୀ ସଂଗଠନ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆନ୍ଦୋଳନକାରୀଙ୍କୁ ରାଜଧାନୀ ପ୍ରବେଶ ମନା କରାଯାଇଛି । ଏନେଇ ତମାଣ୍ଡୋରେ ୧୪୪ ଧାରା ଜାରି କରିଛି ପୋଲିସ । ସେହିପରି ହଂସପାଳ ପରେ ଆଗକୁ ଆସିବାକୁ ବାରଣ କରିଛି ପୋଲିସ । ଫଳରେ ବିଭିନ୍ନ ସ୍ଥାନରେ ଅଟକିଛନ୍ତି କୃଷକ ।