ବିଜେଡିରେ ନବଦାସ ଯୋଗଦେବା ନେଇ ବଢୁଛି ଚର୍ଚ୍ଚା । କିଶୋର କହିଲେ, ମୋ ପାଖରେ ନାହିଁ କୌଣସି ଖବର, ସେପଟେ ନିରଂଜନଙ୍କ ପ୍ରତିକ୍ରିୟା,କେହି ଦଳ ଛାଡିଲେ ପଡିବନି ଫରକ୍

ବିଜେଡିରେ ମିଶିବା ନେଇ ପୁରୁଣା କଥା ଦୋହରାଇଲେ ନବ ଦାସ । କହିଲେ ଲୋକଙ୍କ ଇଛାକୁ ଦେଉଛି ସମ୍ମାନ, ୨୪ରେ ହେବ ସ୍ପଷ୍ଟ

264

କନକ ବ୍ୟୁରୋ: କଂଗ୍ରେସ ବିଧାୟକ ନବଦାସ ବିଜେଡିରେ ଯୋଗଦେବା ଚର୍ଚ୍ଚାକୁ ନେଇ ପ୍ରତିକ୍ରୟା ରଖିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବିଜେଡି ନେତା କିଶୋର ମହାନ୍ତି ।  ସେ କହିଛନ୍ତି କି,  ନବ ଦାସ ବିଜେଡିରେ ଆସିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ମୁଁ କେବଳ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇଛି । କାରଣ ଗତ ଦୁଇ ଦିନ ତଳେ ନବ ଦାସ ନିଜେ କହିଥିଲେ କି, ସେ ଯଦି ଲଢିବେ କେବଳ କଂଗ୍ରେସରୁ ହିଁ ଲଢିବେ ବୋଲି । ତେବେ ସେ କଣ କରିବେ ଆଉ କଣ ନକରିବେ ତାହା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ । ଯଦି ସେମାନେ ବିଜୁ ଜନତା ଦଳକୁ ଆପଣେଇବାକୁ ଚାହୁଁଛନ୍ତି ଆଉ ଦଳକୁ ଆସି କିଛି ଭଲ କାମ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଏହାଦ୍ୱାରା ଆମ ଦଳର ଉନ୍ନତି ହେବ, କିନ୍ତୁ ଗୋଷ୍ଠୀକନ୍ଦଳ ନୁହେଁ । ଯଦି ସେମାନେ ବିଜେଡିକୁ ଆସି ଗୋଷ୍ଠୀକନ୍ଦଳ ସୃଷ୍ଟି କରିବାକୁ ଚାହୁଁଛନ୍ତି ତେବେ ସେ  ନିଜ କଥା ନିଜେ ବୁଝିବେ, କାରଣ ବିଜୁ ଜନତା ଦଳରେ ଗୋଷ୍ଠୀକନ୍ଦଳର କୌଣସି ସ୍ଥାନ ନାହିଁ ବୋଲି କିଶୋର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ,  ନବ ଦାସ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି  ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନବ ଦାସ ଦଳ ଛାଡିବା ନେଇ ସେ ଦୁଃଖିତ । ଦଳ ପରିବର୍ତ୍ତନ କଲେ  ଭୋଟ ମିଳିବନି ।  ଆମେ ସହିଷ୍ଣୁ, କେହି ଦଳ ଛାଡିଲେ ଆମକୁ ଫରକ ପଡିବନି ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି  ।

ଉଲ୍ଲେଖ ଥାଉ କି, ବିଜେଡିରେ ଯୋଗଦେବା ନେଇ ଝାରୁସୁଗୁଡାର ବିଧାୟକ ନବ ଦାସ ଆଜି ପୁଣି ମୁହଁ ଖୋଲିଛନ୍ତି ।  ସେ କହିଛନ୍ତି, ଆସନ୍ତା ୨୪ ତାରିଖରେ ସବୁ ସ୍ପଷ୍ଟ ହୋଇଯିବ ।  ଏହିଦିନ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଝାରୁସୁଗୁଡା ଆସୁଛନ୍ତି ।  ଲୋକଙ୍କ ନିଷ୍ପତିକୁ ସମ୍ମାନ ଜଣାଉଛି  ଏବଂ ଲୋକେ ଯାହା ଚାହିଁ ବେ  ତାହା ହିଁ ହେବ ବୋଲି କହିଛନ୍ତି ନବ ଦାସ । ତେବେ ୨୫ ତାରିଖରେ  ରାହୁଲଙ୍କ ସମାବେଶକୁ ସେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବ ଦାସ ।

ଏ କଥାରୁ ପୁଣି ସ୍ପଷ୍ଟ ହୋଇଛି ଯେ, ବିଜେଡିରେ ଯୋଗ ଦେଇପାରନ୍ତି ନବ ଦାସ । ସେ କହିଛନ୍ତି ଆସନ୍ତା ନିର୍ବାଚନରେ ସେ ଶଙ୍ଖ ଚିହ୍ନରୁ ନିର୍ବାଚନ ଲଢନ୍ତୁ ବୋଲି ସମର୍ଥକ ଚାହୁଁଛନ୍ତି । ଲୋକେ ଚାହିଁଲେ ସେ ବିଜେଡିରେ ଯୋଗ ଦେବେ ଏବଂ ଶଙ୍ଖ ଚିହ୍ନରୁ ଝାରସୁଗୁଡାରୁ ନିର୍ବାଚନ ଲଢିବେ ବୋଲି ଗତକାଲି  ନବ କହିଥିଲେ । ଆଜି ଏହାକୁ ସେ ପୁଣି ଦୋହରାଇଛନ୍ତି ।