ଆପୋଲୋ ହସ୍ପିଟାଲ କିଡନୀ ଚୋରି ପ୍ରସଙ୍ଗରେ ନୂଆ ମୋଡ: କିଡନୀ ଚୋରି ହୋଇଥିବା ଲୋକର ପୁରୁଣା ଭିଡିଓ ଜାରି କଲେ ଜଣେ ଡାକ୍ତର । ଉଠିଲା ପ୍ରଶ୍ନ, କ୍ୟାମେରା ଆଗରେ ଏପରି କହିବା ପାଇଁ କରାଯାଇନିତ ଷଡଯନ୍ତ୍ର?

ପିଡିତ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

2,368
କନକ ବ୍ୟୁରୋ: କିଡନୀ ପ୍ରତିରୋପଣ ଘଟଣାରେ  ଆପୋଲୋର ପଂଜୀକରଣ ବାତିଲ ପାଇଁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେବା ପରେ ପିଡିତ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ପିଡିତ କହୁଛନ୍ତି, ସେ ସ୍ୱଇଚ୍ଛାରେ କିଡନୀ ଦେଉଛନ୍ତି । ତେବେ ଭିଡିଓରେ ନିଜର ପରିଚୟ ବଦଳାଇ ଦେଇଛନ୍ତି ପୀଡିତ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆପୋଲୋ ହସ୍ପିଟାଲରେ କିଡନୀ ପ୍ରତିରୋପଣ ଘଟଣାରେ ବରଗଡର ଅନୀଲ ସ୍ୱାମୀଙ୍କ କିଡନୀ କାଢି ନିଆଯାଇଛି ନା ସେ ନିଜେ ସ୍ୱଇଚ୍ଛାରେ ଦେଇଛନ୍ତି । ଏହାକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ଅନୀଲ ସ୍ୱାମୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଅନିଲ ନିଜର ଭିନ୍ନ ପରିଚୟ ଦେଉଛନ୍ତି ଏବଂ ସ୍ୱଇଚ୍ଛାରେ କିଡନୀ ଦାନ କରୁଥିବା କଥା କହୁଛନ୍ତି ।
ଅଭିଯୋଗ ଅନୁସାରେ ଜାଲ କାଗଜପତ୍ର ଜରିଆରେ ଚିକିତ୍ସା ବାହାନା କରି ଆପୋଲୋ ହସ୍ପିଟାଲରେ ହୋଇଥିଲା ଏହି ପ୍ରତିରୋପଣ । ୨୦୧୩ ମସିହାରେ ବରଗଡର ରାଘବ ରାମ ଦୋରାଙ୍କ କିଡନି ଖରାପ ହୋଇଯାଇଥିଲା । ସେହି ସମୟରେ ତାଙ୍କ ପଡୋଶୀ ଅନୀଲ ସ୍ୱାମୀଙ୍କ ଦେହ ବି ଖରାପ ହୋଇଥିଲା ।  ରାଘବ ଦୋରାଙ୍କ ଭାଇ ଅନୀଲ ସ୍ୱାମୀଙ୍କୁ ପ୍ରଥମେ ବୁର୍ଲା ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲ ନେଇଥିଲେ । ଆଉ ଜାଲ କାଗଜପତ୍ର କରି ଅନୀଲଙ୍କ କିଡନୀ ବାହାର କରି ରାଘବ ଦୋରାଙ୍କ ଶରୀରରେ ପ୍ରତିରୋପଣ କରଯାଇଥିଲା । ପୁରା ଘଟଣାର ପର୍ଦ୍ଦାଫାଶ ପରେ ଆପୋଲୋର ପଂଜୀକରଣ ବାତିଲ ନେଇ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇ ସାରିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।