ଅଦ୍ଭୁତ ପଥର । ଯେଉଁ ପଥର ଉପରେ ଛିଡାହେଲେ ମିଛ କହିବାକୁ ଜିଭ ଲେଉଟେନି, ଆପଣାଛାଏଁ ସାମ୍ନାକୁ ଆସିଯାଏ ସତ ।

2,200

କନକ ବ୍ୟୁରୋ : ଏମିତି ଏକ ପଥର । ଯେଉଁ ପଥର ଉପରେ ଛିଡା ହୋଇ କେହି କେବେ ମିଛ କହିବାକୁ ସାହସ ଜୁଟାଇ ପାରେନା । ସମ୍ବଲପୁରରେ କାହିଁ କେଉଁ ଅନାଦି କାଳରୁ ରହିଛି ଏମିତି ବିଶ୍ୱାସ । ସତ ମିଛର ବିଚାର କରୁଛି ଗୋଟିଏ କଳା ପଥର । ସେହି ପଥରର ଅନ୍ତରାଳରେ ରହିଛି ଏକ ବିସ୍ତୀର୍ଣ୍ଣ କଳା ମନ୍ଦିର । କୁହାଯାଏ ସେହି ମନ୍ଦିରର ପରମ୍ପରା ଓ ସଂସ୍କୃତି ଜଗନ୍ନାଥ ମନ୍ଦିରର ସଂସ୍କୃତି ସହ ଯୋଡି ହୋଇ ରହିଛି ।

ସମ୍ବଲପୁରର ଝାଡୁଆପଡାରେ ରହିଛି ଐତିହାସିକ ବ୍ରହ୍ମପୁରା ମନ୍ଦିର । ଏହି ମନ୍ଦିରର ପରମ୍ପରା ପୁରୀର ଜଗନ୍ନାଥ ମନ୍ଦିର ପରମ୍ପରା ସହ ଯୋଡି ହୋଇରହିଛି । ମନ୍ଦିରର ଜଗମୋହନ ଓ ଗମ୍ଭୀରାର ଅନ୍ତରାଳରେ ଏକ କଳାପଥର ଅଛିି । କୁହାଯାଏ, ଏହି ପଥର ଉପରେ ଠିଆ ହୋଇ କେହି କେବେ ମିଛ କହିପାରେନି । ବିଶ୍ୱାସ ରହିଛି ଏହି ପଥର ନ୍ୟାୟ ଅନ୍ୟାୟର ବିଚାର କରେ । ପଥର ଉପରେ ଠିଆ ହୋଇ ମିଛ କହୁଥିବା ବ୍ୟକ୍ତିଙ୍କର ଅନିଷ୍ଟ ହୋଇଥାଏ । ତେଣୁ କୌଣସି ବିବାଦର ସମାଧାନ ପାଇଁ କେହି କେବେ ମନ୍ଦିରକୁ ଆସିଲେ ପ୍ରଥମେ ମନ୍ଦିର ଟ୍ରଷ୍ଟ ବୋର୍ଡ ଲୋକଙ୍କୁ ବୁଝାସୁଝା କରିଥାନ୍ତି । ପରେ କଳାପଥର ଉପରେ ଶପଥ ପାଠ କରାଯାଏ । ତେବେ ଗତ କିଛି ବର୍ଷ ହେବ ଏହି ପଥରକୁ ଛୁଇଁବା ବାରଣ କରାଯାଇଛି ।

ଏଭଳି କି ବାସ୍ତବବାଦୀ ଇଂରେଜମାନେ ମଧ୍ୟ ଏହି ପଥରକୁ ବିଶ୍ୱାସ କରୁଥିଲେ । ସେ ସମୟର ଲାୟ ଡିଟେକ୍ସନ ମେସିନ ହିସାବରେ କାମ କରୁଥିବା ଏହି ପଥରରେ ଶପଥ କରି ବ୍ରିଟିଶ ଅଫିସର ମେଜର ଇମ୍ଫେ ଓ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ବୋଲି ଐତିହାସିକ ମତ ଦିଅନ୍ତି ।

କିମ୍ବଦନ୍ତୀ କୁହେ, ୧୫୬୮ ମସିହାରେ ବିଷୋୟୀ ମହାନ୍ତି ପୁରୀରେ ଲକଳାପଥରର ଦାଉରୁ ବ୍ରହ୍ମାଙ୍କୁ ରକ୍ଷା କରିବା ପାଇଁ ନଦୀ ପଥରେ ସମ୍ବଲପୁର ନେଇଆସିଥିଲେ । ସେତେବେଳେ ସେଠି ଭାଗବତ ପାଠ ହେଉଥିବା ଦେଖି ସେହି ସ୍ଥାନରେ ବ୍ରହ୍ମାକୁ ଲୁଚାଇ ରଖିଥିଲେ । କିନ୍ତୁ କଳାପାହାଡ ସମ୍ବଲପୁର ଆସିବା ଜାଣିପାରି ବ୍ରହ୍ମକୁ ନେଇ ବିଷୋୟୀ ମହାନ୍ତି ପୁଣି ଚାଲିଯାଇଥିଲେ । ପରେ ଚୌହାନ ବଂଶର ରାଜା ଏହି ବ୍ରହ୍ମା ମନ୍ଦିରକୁ ନିର୍ମାଣ କରିଥିଲେ ।