ସହିଦ ସପ୍ତାହର ଶେଷଦିନରେ ମାଓବାଦୀଙ୍କ ନାରକୀୟ କାଣ୍ଡ: ସୁନ୍ଦରଗଡ ସୀମାନ୍ତରେ ଟ୍ରକ ସହ ଡ୍ରାଇଭରକୁ ଜାଳିଦେଲେ

21

କନକ ବ୍ୟୁରୋ : ସହିଦ ଦିବସ ପରେ ମାଓବାଦୀମାନେ ପୁଣି ରଚିଛନ୍ତି ବର୍ବର କାଣ୍ଡ । ସୁନ୍ଦରଗଡ଼ ଓ ରାୟଗଡାରେ ଲାଲବାହିନ ନିଜର ଉପସ୍ଥିତ ଜାହିର କରିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଜଣେ ଟ୍ରକ୍ ଡ଼୍ରାଇଭରକୁ ଗୁଳି ମାରିବା ସହ ତାଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି ମାଓବାଦୀ । ମୃତ ଡ଼୍ରାଇଭର ପଂଜାବର ଅମୃତସର ଜାଗୋ ସିଂହ ବୋଲି ଜଣାପଡିଛି । ତେବେ ସହୀଦ ସପ୍ତାହର ଶେଷ ଦିନରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି । ସୁଚନା ଅନୁସାରେ ଜାଗୋ ସଂହ ରାଉରକେଲାରୁ ଲୁହା ପାଇପ୍ ବୋଝେଇ କରି ଜାମସେଦପୁର ଯାଉଥିବା ବେଳେ ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଟ୍ରକକୁ ଖୁଣ୍ଟିତମାଡ଼ ଜାତୀୟ ରାଜପଥରେ ଆକ୍ରମଣ କରିଥିଲେ ।

ମାଓବାଦୀ ମାନେ ପ୍ରଥମେ ଡ଼୍ରାଇଭର ଠାରୁ ଟ୍ରକ୍ ଚାବି ଛଡ଼ାଇନେଇଥିଲେ ଓ ଏହାପରେ ଡ଼୍ରାଇଭରକୁ ଅତି ନୃଶଂସ ଭାବେ ଗୁଳି କରି ହତ୍ୟା କରିବା ପରେ ଟ୍ରକ ସହ ତାଙ୍କୁ ଜାଳି ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ସେପଟେ ରାୟଗଡାର ତ୍ରିଲୋଚନପୁର ପଞ୍ଚାୟତର ଆମ୍ବଗୁଡାଠାରେ ଆଜି ସକାଳୁ ସିଆରପିଏଫର ୪ ବାଟାଲିୟନର ଯବାନମାନେ କମ୍ବିଂ କରୁଥିବା ବେଳେ ୧୮ କିଲୋଗ୍ରାମ ଓଜନର ଅନେକ ଗୁଡିଏ ଟିଫିନ ବୋମା ଉଦ୍ଧାର କରିଛନ୍ତି । ତେବେ ଯବାନମାନେ ଡଗସ୍ୱାର୍ଡ ସାହାଯ୍ୟରେ ବୋମାକୁ ନିଷ୍କ୍ରୟ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାଓବାଦୀଙ୍କ ଟାର୍ଗେଟରେ ସବୁବେଳେ ଯବାନମାନେ ରହିଥିବାରୁ ଏପରି ଲ୍ୟାଣ୍ଡମାଇନ ବିଛାଉଛନ୍ତି । ଯବାନମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ବଡଧରଣର ବିସ୍ଫୋରୋଣରୁ ଅଳ୍ପକେ ବର୍ତ୍ତୀଗଲୁ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି । ତେବେ ନିକଟରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଛନ୍ତି ।