ରାହୁଲ ଗାନ୍ଧିଙ୍କ ଜୀବନୀ ନେଇ ଆସୁଛି ଚଳଚ୍ଚିତ୍ର ! ରିଲିଜ୍ ହେଲା ଫିଲ୍ମର ପ୍ରଥମ ଟିଜର ।

388

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ରାଜନୈତିକ ପ୍ରଚାର ପ୍ରସାର କରିବା କିଛି ନୂଆ କଥା ନୁହେଁ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଶୀର୍ଷ ନେତାମାନଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ମଧ୍ୟ ଜନସାଧାରଣଙ୍କ ସାମ୍ନାକୁ ଆସିଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ‘ଦି ଆକ୍ସିଡେଣ୍ଟଲ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ର ରିଲିଜ ହୋଇସାରିଥିବା ବେଳେ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଜଣାପଡିଛି । ତେବେ ଏହି କ୍ରମରେ ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚାରେ ରହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ଏକ ବଡ ଖବର ।

ରିଲିଜ ହେଲା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାୟୋପିକ ଫିଲ୍ମର ପ୍ରଥମ ଟିଜର । ନିକଟରେ ଫିଲ୍ମର ପ୍ରଥମ ଟିଜର ରିଲିଜ କରାଯାଇଛି । ବାୟୋପିକର ଟାଇଟେଲ ରହିଛି ‘ମାଇ ନେମ ଇଜ ରାଗା’ । ଟିଜରରେ ଗାନ୍ଧୀ ପରିବାର ଝଲକ ଦେଖିବାକୁ ମିଳିଛି । ରୁପେଶ ପଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର କାହାଣୀ ଇନ୍ଧିରା ଗାନ୍ଧୀଙ୍କ ହତ୍ୟା ସମୟର ଘଟଣାକୁ ନେଇ ଆରମ୍ଭ ହେବ ଓ ଶେଷ ହେବ ସାଧାରଣ ନିର୍ବାଚନ ସମୟର ହାଲଚାଲକୁ ନେଇ । ରାହୁଲ ଗାନ୍ଧୀଙ୍କ ଭୂମିକାରେ ଅଶ୍ୱିନୀ କୁମାର ଅଭିନୟ କରିଛନ୍ତି । ଫିଲ୍ମର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଭୂମିକାରେ ଅଭିନେତା ଅନୁପମ ଖେରଙ୍କ ଭାଇ ରଜୁ ଖେରଙ୍କ ଅଭିନୟ ରହିଛି ।