ନବଜାତ ପାଇଁ ଦେବଦୂତ ପାଲଟିଲା ପୋଲିସ । ପ୍ଲାଟଫର୍ମରେ ପ୍ରସବ କଲେ ମହିଳା, ଚାରିଖଣ୍ଡ ଲୁଗା ଧରି ଅସ୍ଥାୟୀ ଘର ତିଆରି କଲା ପୋଲିସ 

161

ପୋଲିସ ହେବ ତ ଏମିତି । ଗୋଟିଏ ପଟେ ଏବେ ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଉଥିବା ବେଳେ ମୁମ୍ବାଇ ପୋଲିସ ଏମିତି ଏକ କାମ କରିଛି ଯେଉଁଥିପାଇଁ ଚାରିଆଡୁ ମିଳୁଛି ପ୍ରଂଶସା । ମୁମ୍ବାଇର ବ୍ୟସ୍ତ ବହୁଳ ଦାଦର ରେଳୱେ ଷ୍ଟେସନରେ ଏମିତି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।  ଯେତେବେଳେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେତେବେଳେ ତାଙ୍କ ଦେବଦୂତ ଭାବେ ଉଭା ହୋଇଛନ୍ତି ମୁମ୍ବାଇର ପୋଲିସ ।

ସୂଚନା ଅନୁଯାୟୀ, ପୂରା ମୁମ୍ବାଇ ସହର ଖ୍ରୀଷ୍ଟମାସ ଉତ୍ସବରେ ମସଗୁଲ ଥିବା ବେଳେ ମୁମ୍ବାଇ ଦାଦର ରେଳ ଷ୍ଟେସନରେ ପ୍ରସବ ବେଦନାରେ ଛଟପଟ ହେଉଥିଲେ ଗୀତା ଦୀପକ ୱାଗରେ ନାମକ ଏକ ମହିଳା । ରାତି ୧ଟା ୫୦ ମିନିଟ ସମୟରେ ପ୍ଲାଟଫର୍ମରେ ପଡି ରହିଥିଲେ ଗୀତା । ସାଙ୍ଗରେ ସ୍ୱାମୀ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିରୁପାୟ ହୋଇସାରିଥିଲେ । କାରଣ ପ୍ରସବ ବେଦନା ଏତେ ବଢି ଯାଇଥିଲା ଯେ, ସ୍ତ୍ରୀକୁ ଆମ୍ବୁଲାନ୍ସରେ ବସାଇ ନେବା ମଧ୍ୟ ସମ୍ଭବପର ନଥିଲା । ଆଉ ଏଭଳି ସମୟରେ ମୁମ୍ବାଇ ପୋଲିସ ସାଜିଥିଲା ଦେବଦୂତ ।


ମହିଳା ଜଣଙ୍କୁ ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିବା ଖବର ମିଳିବା ପରେ ସେଠାରେ ପହଞ୍ଚିଥିଲେ ମୁମ୍ବାଇ ପୋଲିସର ୩ ଜଣ କର୍ମଚାରୀ । ଦୁଇ ଜଣ ମହିଳା ଓ ଜଣେ ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ସଙ୍ଗେ ସଙ୍ଗେ ବେଡସିଟ୍ ଆଣି ପ୍ଲାଟଫର୍ମରେ ହିଁ ମହିଳାଙ୍କ ପାଇଁ ଛୋଟିଆ କୋଠରୀ ବନାଇଥିଲେ ।ଏପରିକି ସେଠାରେ ଉପସ୍ଥିତ ଥିବା ଆଉ କିଛି ମହିଳା ମଧ୍ୟ ପୋଲିସକୁ ଏହି କାମରେ ସହାୟତା କରିଥିଲେ ।

ଆଉ ଏହାଭିତରେ ନିକଟସ୍ଥ ହସ୍ପିଟାଲକୁ ସୂଚନା ଦେଇଥିଲେ ପୋଲିସ । ପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଜଣେ ନର୍ସ ପହଞ୍ଚି  ଗୀତାଙ୍କର ପ୍ରସବ କରାଇଥିଲେ । ପରେ ତାଙ୍କୁ ତତକ୍ଷଣାତ ହସ୍ପିଟାଲକୁ ନିଆଯାଇଥିଲା । ଉଭୟ ମା ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ ପୋଲିସର ଏଭଳି କାର୍ଯ୍ୟକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି ।