୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ : ଆଇପିଏସ୍ ଅଫିସର ହୋଇ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଚାହେଁ ‘କସାବର ଝିଅ’

ଦେବିକାଙ୍କୁ କସାବର ଝିଅ କହି ଡାକନ୍ତି ।

1,572

୨୬ ନଭେମ୍ବର ୨୦୦୮, ସେହି ଦିନ ସୀମା ପାର କରି ଆସିଥିବା ଆତଙ୍କବାଦୀ ମୁମ୍ବାଇକୁ ଦୋହଲାଇ ଦେଇଥିଲେ । ଦେଶର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣକୁ ଏବେ ୧୦ ବର୍ଷ ପୁରା ହେବ । ଏହି ଆକ୍ରମଣରେ ମୁମ୍ବାଇ ପୁଲିସ ନିଜର ଅନେକ ସାହସୀ ଅଧିକାରୀଙ୍କୁ ହରାଇଛି । ଆତଙ୍କବାଦୀ ଅନେକ ନିରୀହ ଲୋକଙ୍କୁ ମାରିଥିଲେ । ମାୟାନଗରୀରେ ହୋଇଥିବା ଏହି ଆକ୍ରମଣରେ ୧୬୪ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେବେକି ଶହ ଶହ ଲୋକ ଆହତ ହୋଇଥିଲେ । ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ଅଜମଲ କସାବ ଧରାପଡିଥିଲା । ମୁମ୍ବାଇ ପୁଲିସ୍ କନେଷ୍ଟବଳ ତୁକାରାମ ଓମ୍ବଲେ ନିଜ ଜୀବନକୁ ଖାତିର ନକରି କସାବକୁ ଧରିଥିଲେ ।

ପାକିସ୍ତାନୀ ନାଗରିକ କସାବକୁ ୨୧ ନଭେମ୍ବର ୨୦୧୨ରେ ଫାଶୀ ଦଣ୍ଡ ହୋଇଥିଲା । କସାବକୁ ଫାଶୀ ଖୁଣ୍ଟରେ ପହଂଚାଇବା ପାଇଁ ଦେବିକା ରୋଟାବନଙ୍କ ସାକ୍ଷ୍ୟ ସବୁଠାରୁ ମୁଖ୍ୟ ସାବ୍ୟସ୍ତ ହୋଇଥିଲା । ଦେବିକାଙ୍କ ବୟସ ସେହି ସମୟରେ ମାତ୍ର ୯ବର୍ଷ ଥିଲା । ୧୦ ବର୍ଷ ପରେ ଏବେ ଦେବିକାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ସବୁଠାରୁ ବଡ ଆକ୍ରମଣ ଓ ତା’ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ।

କସାବର ଝିଅ ବୋଲି ଡାକନ୍ତି : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦେବିକାଙ୍କ ପରିବାରକୁ ରହିବାକୁ ଘର ମିଳିଲାନି । ଲୋକଙ୍କୁ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଆକ୍ରମଣର ଡର ରହୁଥିଲା । ସେ ଯେଉଁଠି ବି ରହନ୍ତି ସେଠି ଦେବିକାଙ୍କୁ କସାବର ଝିଅ ବୋଲି ଡାକନ୍ତି । ଏବେ ବି ସେଠି ୨୬/୧୧ର ଝିଅ କେଉଁଠି ବୋଲି ପଚାରିଲେ, ସେମାନେ କସାବର ଝିଅ ଏଠି ରହେ ବୋଲି କହନ୍ତି ।

୨୬/୧୧ ଦିନ ଦେବିକାଙ୍କୁ ଛତ୍ରପତି ଶିବାଜୀ ରେଲୱେ ଟର୍ମିନାସରେ ଗୋଡରେ ଗୁଳି ବାଜିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଛୋଟ ସାକ୍ଷ୍ୟ ଥିଲେ, ଯିଏକି କୋର୍ଟରେ ଅଜମଲ କସାବକୁ ଚିହ୍ନିଥିଲେ । ସେହି ଦିନ ଦେବିକା ତାଙ୍କ ବାପା ଓ ଭାଇ ସହ ପୁଣେ ଯିବା ପାଇଁ ବାନ୍ଦ୍ରାରୁ ସିଏସଟି ଷ୍ଟେସନ ପହଂଚିଥିଲେ । ପ୍ଲାଟଫର୍ମ ନଂ୧୨ରେ ସେମାନେ ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ହଠାତ୍ ଫାୟରିଙ୍ଗ ହୋଇଥିଲା । ଦେବିକା ଯେତେବେଳେ ତାଙ୍କ ବାପାଙ୍କ ସହ ଜୀବନ ବଂଚାଇବା ପାଇଁ ଦୈାଡିଲେ, ଜାଣିଲେ ଯେ ତାଙ୍କ ଗୋଡରେ ଗୁଳି ବାଜିଛି ଓ ସେ ତଳେ ପଡିଯାଇଥିଲେ । ଲୋକଙ୍କ ଚିତ୍କାର ସମୟରେ ସେ ଫାୟରିଙ୍ଗ କରୁଥିବା ବ୍ୟକ୍ତି ନଜର ଆସିଥିଲା । ସେ ହସୁଥିଲା ଓ ତା’ ମୁହଁରେ ଟିକିଏ ବି ଦୁଃଖ ନଥିଲା । ସେ ବ୍ୟକ୍ତି ଜଣକ ଅଜମଲ କସାବ ଥିଲା ।

ଦେଶ ପାଇଁ ଏତେ ବଡ କାମ କରିଥିଲେ ବି ତାଙ୍କ ପରିବାରକୁ ଲୋକେ ଗ୍ରହଣ କରୁନାହାଁନ୍ତି । ସେଥିପାଇଁ ସେ ଦୁଃଖିତ । ତଥାପି ବି ସେ ପଛଘୁଂଚା ଦେଇନାହାଁନ୍ତି । ଦେଶ ପାଇଁ ଆହୁରି କିଛି କରିବା ପାଇଁ ସେ ଇଚ୍ଛା ରଖିଛନ୍ତି । ସେ ବଡ ହେଲେ ଆଇପିଏସ୍ ଅଫିସର ହୋଇ ଆତଙ୍କବାଦୀଙ୍କୁ ମାରିବାକୁ ଚାହାଁନ୍ତି ।