କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଓଲଟା ପରମର୍ଶ ଦେଇ କହିଛନ୍ତି ଉତ୍ପାଦନ ବଢାଓ କିନ୍ତୁ ଦର ବଢିବ ନାହିଁ । ଫଳରେ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ କେତେ, ସ୍ପଷ୍ଟ ଜଣାପଡୁଛି । ନିର୍ବାଚନକୁ ଆସିବା ପୂର୍ବରୁ ବିଜେପି ଚାଷୀଙ୍କୁ ଆଶା ଦେଖାଇଥିଲା ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ହେବ। ହେଲେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଚାଷୀକୁ ପ୍ରତାରଣା ଭିତରକୁ ଠେଲି ଦେଇଛନ୍ତି। ଏମିତି ଯେ ଧାନର ସର୍ବନିମ୍ନ ମୂଲ୍ୟ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦିଆଯାଇଛି।

Advertisment

paddy priceକେନ୍ଦ୍ରକୃଷି ମନ୍ତ୍ରୀ ରାଧାମୋହନ ସିଂହ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଦେଇଥିବା ଚିଠିରେ ସିଧା ସିଧା ଲେଖିଛନ୍ତି, ଧାନର ଏମ୍ଏସି ଯଥେଷ୍ଟ ବଢ଼ାଯାଇଛି, ଏଥିରୁ ବେଶି ବଢ଼ାଇବା ଏବେ ସମ୍ଭବ ନୁହେଁ। ଚାଷୀ ଚାହିଁଲେ ସରକାରଙ୍କୁ ଏମ୍ଏସ୍ପି ଅନୁସାରେ ବିକ୍ରି କରିପାରିବ କିମ୍ବା ଖୋଲା ବଜାରରେ ବି ବିକ୍ରି କରିପାରିବ, ଯଦି ଲାଭଦାୟକ ହୁଏ। ମନ୍ତ୍ରୀ ଶ୍ରୀ ସିଂହ ଏହି ଅବସରରେ ରାଜ୍ୟ ସରକାରଙ୍କୁ ପାଲଟା ପରାମର୍ଶ ଦେଇଛନ୍ତି ଯେ ଅଧିକ ଲାଭ ପାଇବାକୁ ହେଲେ ଓଡ଼ିଶାର ଚାଷୀମାନଙ୍କୁ ଉତ୍ପାଦନ ବଢାଇବାକୁ ପଡିବ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଲାଗି ଓଡ଼ିଶା ସରକାର ଦାବି ଜୋର କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଚାଷୀ ମହଲରେ ଭାଳେଣି ସୃଷ୍ଟି କରିଛି। ଅନ୍ୟପକ୍ଷରେ ରାଜନୈତିକ ପର୍ୟ୍ୟବେକ୍ଷକ ମହଲର କହିବା କଥା ହେଉଛି, ସମ୍ଭବତଃ କେନ୍ଦ୍ର ତାର ପ୍ରତିଶ୍ରୁତିରୁ ଓହରିଯାଇଥିବାରୁ ବିଧାନସଭା ଗୃହ କମିଟି ସମୟ ମାଗିଥିଲେ ହେଁ ପ୍ରଧାନମନ୍ତ୍ରୀ ଭେଟିବାକୁ ଆଗ୍ରହ ଦେଖାଇନଥିଲେ। ଗତ ଅଧିବେଶନରେ ଏ ନେଇ ଓଡ଼ିଶା ବିଧାନସଭାରେ ତନାଘନା ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଯୁକ୍ତି ରଖିଛନ୍ତି, କୃଷିଜାତ ଦ୍ରବ୍ୟ ଖର୍ଚ୍ଚ ଓ ମୂଲ୍ୟ ନିର୍ଧାରଣ ପାଇଁ ରହିଥିବା ଆୟୋଗ(ସିଏସିପି)ର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଧାନର ମୂଲ୍ୟ ନିର୍ଧାରଣ କରିଥାନ୍ତି। ସିଏସିପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗୀୟ ମତ ଆଧାରରେ ଏହି ସୁପାରିସ କରିଥାନ୍ତି। କମିସନଙ୍କ ସୁପାରିସ ଅନୁଯାୟୀ ସାରା ଭାରତ ପାଇଁ ମୂଲ୍ୟ ନିର୍ଧାରଣ କରାଯାଇଥାଏ। ଚାଷ ପାଇଁ ନିୟୋଜିତ ହୋଇଥିବା ମାନବସମ୍ବଳ, ବଳଦ ଭଡା, ମେସିନ୍ ଭଡ଼ା, ସାର, ବିହନ, ଜଳସେଚନ, ଡିଜେଲ୍ ବ୍ୟବହାର, ବିଦ୍ୟୁତ୍ ଶୁଳ୍କ ସବୁକୁ ହିସାବକୁ ନେଇ ଏମଏସପି ଧାର୍ୟ୍ୟ କରାଯାଇଥାଏ।
ତେବେ ସର୍ବଭାରତୀୟ ସ୍ତରରେ ଚାଷୀ ପରିବାରର ପରିଶ୍ରମ ସହିତ ସମସ୍ତ ଖର୍ଚ୍ଚର୍କୁ ମିଶାଇ କ୍ୱିଣ୍ଟାଲ ପ୍ରତି ଉତ୍ପାଦନ ଖର୍ଚ୍ଚ ହେଉଛି ୧୧୧୭ ଟଙ୍କା। ସାମଗ୍ରିକ ଭାବେ ବିଚାର କଲେ, କୃଷି ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୩୨୭ ଟଙ୍କା ଛୁଇଁବ।

ଏଣୁ କୃଷି ଉତ୍ପାଦନ ଖର୍ଚ୍ଚର୍କୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସାଧାରଣ ଧାନର କୁଇଣ୍ଟାଲ ପ୍ରତି ଦର ୧୫୫୦ ଟଙ୍କା ଓ ‘ଏ’ ଗ୍ରେଡର ଧାନର ଦର ୧୫୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ଦର ଯଥାକ୍ରମେ ୧୪୭୦ ଓ ୧୫୧୦ ଟଙ୍କା ରହିଥିଲା।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଉତ୍ପାଦନ ଖର୍ଚ୍ଚ ବହୁତ ବେଶି ହୋଇଥିବା ବେଳେ ଧାନ ଉତ୍ପାଦନ କିନ୍ତୁ ବହୁତ କମ୍। ହଳ ଓ ଶ୍ରମିକଙ୍କ ପାରିଶ୍ରମିକ ବାବଦ ଖର୍ଚ ଓଡ଼ିଶାରେ ବହୁତ ବେଶି ରହିଛି। ତେଣୁ ଓଡ଼ିଶାକୁ ଧାନର ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କୃଷିମନ୍ତ୍ରୀ ଶ୍ରୀ ସିଂହ ସୂଚାଇଛନ୍ତି। ଏକଥା ବି କହିଛନ୍ତି, ଚାଷୀଙ୍କ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଜାତୀୟ ଖାଦ୍ୟ ସୁରକ୍ଷା ମିସନଠାରୁ ଆରମ୍ଭ କରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା ପରି ଏକାଧିକ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ଏ ସବୁ ଯୋଜନାର ଉଦ୍ଦେଶ୍ୟ ହେଉଛି ୨୦୨୨ ସୁଦ୍ଧା ଦେଶରେ କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା।

ରାଜ୍ୟ ସରକାରଙ୍କ ପରିସଂଖ୍ୟାନ ଅନୁସାରେ, ଏକ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀ ଖର୍ଚ୍ଚ କରୁଛି ୨୩୪୪ ଟଙ୍କା। ଏକ ହିସାବ ଅନୁସାରେ, ଗୋଟିଏ ଏକର ଜମିରେ ଅତି କମ୍ରେ ୧୫ କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଛନ୍ତି ଚାଷୀ। ଅର୍ଥାତ୍ ଏକର ପିଛା ଚାଷୀର ଖର୍ଚ୍ଚ ହେଉଛି, ପ୍ରାୟ ୩୫ ହଜାର ୧୬୦ ଟଙ୍କା। ହେଲେ କେନ୍ଦ୍ର ସରକାର ଧାନର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରିଛନ୍ତି, ତାହା କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ରହିଛି। ଅର୍ଥାତ୍ ସିଧା ସିଧା କ୍ୱିଣ୍ଟାଲ ପିଛା ୭୯୪ ଟଙ୍କା କ୍ଷତି ସହୁଛନ୍ତି ଚାଷୀ।

କେବଳ ଏହି ଗୋଟିଏ କ୍ଷେତ୍ରରେ ଚାଷୀ କ୍ଷତି ସହୁଛି ତା ନୁହେଁ, ପ୍ରାକୃତିକ ବିପର୍ୟ୍ୟୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଆହୁରି ସାଂଘାତିକ ଭାବେ ପଡୁଛି। ଯେଉଁ ସମୟରେ ଚାଷୀ ଏକର ପିଛା ୩୫ ହଜାର ୧୬୦ ଟଙ୍କା ଚାଷ ପାଇଁ ଖର୍ଚ୍ଚ କରୁଛି, ସେ କ୍ଷେତ୍ରରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ଦିଆଯାଉଛି ୧୩ ହଜାର ୫୦୦ ଟଙ୍କା। ଅର୍ଥାତ୍ ଚାଷୀକୁ ଏକର ପିଛା ମିଳୁଛି ୫୪୬୫ ଟଙ୍କା। ଯଦି ୫୦ ପ୍ରତିଶତ କ୍ଷତି ହୋଇଥାଏ, ତେବେ ଚାଷୀ ପ୍ରାୟ ଏକର ପିଛା ୧୭ ହଜାର ଟଙ୍କା କ୍ଷତି ସହୁଛି। ଅଣଜଳସେଚିତ ଜମି ହୋଇଥିଲେ, ଚିତ୍ର ଆହୁରି ଭୟଙ୍କର। ଚାଷୀକୁ ଏ କ୍ଷେତ୍ରରେ ଇନ୍ପୁଟ୍ ସବ୍ସିଡି ମିଳୁଛି ଏକର ପିଛା ୨୭୫୩ ଟଙ୍କା (ହେକ୍ଟର ପିଛା ୬୮୦୦)। ଏଣୁ ସାମଗ୍ରିକ କ୍ଷତି ପରିମାଣ ଜଳସେଚିତ ଜମି ଠାରୁ ଆହୁରି ଅଧିକ।

ଗୋଟିଏ ପଟେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିବା ବେଳେ ଅନ୍ୟପଟରେ ପ୍ରକୃତ କ୍ଷତି ଭରଣା ତ ଦୂରର କଥା, ଚାଷୀର ମେରୁଦଣ୍ଡ ସଳଖ କଲାଭଳି ଇନ୍ପୁଟ୍ ସବ୍ସିଡି ମଧ୍ୟ ଦେଉନାହାନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ବି କେନ୍ଦ୍ର ତାର ଆଭିମୁଖ୍ୟ ଏଯାଏ ସ୍ପଷ୍ଟ କରିନାହିଁ।